ଥିରୁବନନ୍ତପୁରମ୍: ୨୦୧୪ରୁ କ୍ଷମତାକୁ ଆସିବା ପରଠାରୁ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରୟାସ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶେଷରେ ଗାନ୍ଧୀ ଜୟନ୍ତୀ ଅବସରରେ ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ ମୋଦୀ । କିଛି ଦିନ ଲୋକେ ନିୟମକୁ ମାନିଥିବା ବେଳେ ଧିରେ ଧିରେ ପୁଣି ଲୋକେ ପ୍ଲାଷ୍ଟିକ ବ୍ୟବହାର କରିବା ଆରମ୍ଭ କରିଥିଲେ। ଏବେ ଲୋକେ ପୁଣି ଥରେ ପ୍ଲାଷ୍ଟିକ ବ୍ୟବହାର କରୁଥିବା ଦେଖି କେରଳ ସରକାର କଡ଼ା ନିୟମ ଲାଗୁ କରିବାକୁ ଯାଉଛନ୍ତି।

ଜାନୁଆରି ୧, ୨୦୨୦ଠାରୁ କେରଳରେ ଯଦି କେହି ପ୍ଲାଷ୍ଟିକ ବ୍ୟବହାର କରୁଛି, ତେବେ ତାକୁ ୫୦,୦୦୦ଟଙ୍କା ଜରିମାନା ଆକାରରେ ଦେବାକୁ ହେବ। କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ୍ ପାଇଁ ପରିବେଶ ଓ ସ୍ବାସ୍ଥ୍ୟାବସ୍ଥାର ସମସ୍ୟା ଦେଖା ଦେଉଥିବାରୁ କେରଳ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକକୁ ତିଆରି କରୁଥିବା ନିର୍ମାତା ଓ ଏହାକୁ ବିକ୍ରି କରୁଥିବା ଦୋକାନୀ ଧରା ପଡ଼ିଲେ ସେମାନଙ୍କୁ ୧୦,୦୦୦ଟଙ୍କା ଜରିମାନା ଦେବାକୁ ହେବ। ଯଦି ଜରିମାନା ପରେ ସେମାନେ ପୁଣି ସେଭଳି ଭୁଲ କରନ୍ତି, ତେବେ ଜରିମାନା ରାଶି ୨୫,୦୦୦କୁ ବଢ଼ାଇ ଦିଆଯିବ। ପୁଣି ଯଦି ନିୟମ ଉଲ୍ଲଂଘନ କରୁଥିବାର ଧରା ପଡ଼ନ୍ତି, ତେବେ ୫୦,୦୦୦ଜରିମାନା ସହ ସେମାନଙ୍କ ବ୍ୟବସାୟ କରିବାର ଲାଇସେନ୍ସକୁ ରଦ୍ଦ କରି ଦିଆଯିବ ବୋଲି ଘୋଷଣା କରାଯାଇଛି।