କେରଳରେ ପୁଣି ବାଧ୍ୟତାମୂଳକ ହେଲା ମାସ୍କ

ଥିରୁବନ୍ତପୁରମ୍‌: ଦେଶର ଏକାଧିକ ରାଜ୍ୟରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ କେରଳ ସରକାର ବୁଧବାର ପୁନର୍ବାର ରାଜ୍ୟରେ ଫେସ୍‌ ମାସ୍କ ନିୟମକୁ ଲାଗୁ କରିଛନ୍ତି। କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ପ୍ରକାଶିତ ଏକ ଘୋଷଣାନାମାରେ କୁହାଯାଇଛି ଯେ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ପୁନର୍ବାର ଫେସ ମାସ୍କ ନିୟମକୁ ଲାଗୁ କରାଯାଇଛି। ଏବଂ ଏହି ନିୟମର ଉଲ୍ଲଂଘନ ଦଣ୍ଡନୀୟ ହେବ।

ରାଜ୍ୟ ମୁଖ୍ୟ ସଚିବ ଭି ପି ଜୟଙ୍କ ଦ୍ୱାରା ଜାରି ଏହି ସଦ୍ୟତମ ଆଦେଶରେ କୁହାଯାଇଛିି ଯେ ରାଜ୍ୟରେ କୋଭିଡ-୧୯ ନିୟନ୍ତ୍ରଣ କାର୍ଯ୍ୟକଳାପ ସମ୍ପର୍କରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ଅନୁଯାୟୀ ଲାଗୁ କରାଯାଇଥିବା ସମସ୍ତ ପ୍ରତିବନ୍ଧକକୁ ପୂର୍ବରୁ ସରକାର ପ୍ରତ୍ୟାହାର କରି ନେଇଥିଲେ।

ତେବେ ବର୍ତ୍ତମାନର କରୋନାଭାଇରସ୍‌ ସ୍ଥିତିକୁ ବିଶ୍ଳେଷଣ କରିବା ପରେ ସମସ୍ତ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ବର୍ତ୍ତମାନ ରାଜ୍ୟରେ ଆଉଥରେ ବାଧ୍ୟତାମୂଳକ କରାଯାଇଛି ବୋଲି ଏଥିରେ କୁହାଯାଇଛି।

ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଡିଏମ ଅଧିନିୟମ ଏବଂ କାର୍ଯ୍ୟକାରୀ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନର ବ୍ୟବସ୍ଥା ଅନୁଯାୟୀ ଦଣ୍ଡନୀୟ ଅପରାଧ ରୂପେ ପରିଗଣିତ ହେବ। ରାଜ୍ୟରେ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ହ୍ରାସ ହେତୁ ରାଜ୍ୟ ସରକାର ଏପ୍ରିଲ ୧୦ରେ ଦୈନିକ କରୋନାଭାଇରସ୍‌ ଆକଳନ ପ୍ରକାଶ କରିବା ବନ୍ଦ କରି ଦେଇଥିଲେ। ଏବେ ଏହାକୁ ଆଉଥରେ ଆରମ୍ଭ କରାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କେରଳ ପୂର୍ବରୁ ଦିଲ୍ଲୀ ଓ ପଞ୍ଜାବ ସରକାର ମଧ୍ୟ ମାସ୍କ ନିୟମକୁ ନିଜ ନିଜ ରାଜ୍ୟରେ ପୁନର୍ବାର ଫେରାଇ ଆଣିଛନ୍ତି।

ସମ୍ବନ୍ଧିତ ଖବର