କେରଳରେ ସର୍ବାଧିକ ସଂକ୍ରମଣ, ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ

ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ନେଲାଣି ୩ ଜୀବନ, ମୁମ୍ବାଇରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବିଗତ ୨୪ ଘଣ୍ଟାରେ କୋଭିଡ୍‌ ସଂକ୍ରମଣର ୪୦,୧୨୦ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୨୧,୧୭,୮୨୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ସଂକ୍ରମିତଙ୍କ ସୁସ୍ଥ ହେବା ହାର ୯୭.୪୬ ପ୍ରତିଶତରେ ପହଞ୍ଚିଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୫୮୫ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଛି ଏବଂ ଦେଶର ମୋଟ୍‌ ମୃତ୍ୟୁ ସଂଖ୍ୟା ୪,୩୦,୨୫୪ ହୋଇଛି। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଲଗାତାର କମୁଛି। ଆଜି ସକ୍ରିୟ ରୋଗୀଙ୍କ ସଂଖ୍ୟା ୩, ୮୫,୨୨୭ ରହିଛି ଏବଂ ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୨୦%। ଦେଶରେ ପଜିଟିଭିଟି ରେଟ୍‌ ୨.୦୪ ରହିଥିବା ବେଳେ ବିଗତ ୨୦ ଦିନ ଧରି ଏହା ୩ ପ୍ରତିଶତରୁ କମ୍‌ ରହିଛି ।

କେରଳରେ ସଂକ୍ରମଣ ମାମଲା ସର୍ବାଧିକ ଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୨୦୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୩୧ ଜୁଲାଇ ପରେ ପ୍ରଥମ ଥର ପାଇଁ ମୃତକଙ୍କ ସଂଖ୍ୟା ୨୦୦ ଟପି ଯାଇଛି । କେରଳରେ ପଜିଟିଭିଟି ରେଟ୍‌ ୧୪ ପ୍ରତିଶତରୁ ଅଧିକ ରହିଛି। ରାଜ୍ୟରେ ଆଜି ୨୧ ହଜାର ୪୪୫ ନୂଆ ମାମଲା ସାମ୍ନାକୁ ଆସିବା ସହ ରାଜ୍ୟରେ ସଂକ୍ରମିତଙ୍କ ମୋଟ୍‌ ସଂଖ୍ୟା ୩୬,୩୧,୬୩୮ରେ ପହଞ୍ଚିଛନ୍ତି। କେରଳରେ ସଂକ୍ରମଣ ହାର ଆଜି ୧୪.୭୩ ପ୍ରତିଶତ ରହିଛି । ରାଜ୍ୟର ୯ଟି ଜିଲ୍ଲାରେ ୨ଟି ଡୋଜ୍‌ କୋଭିଡ୍‌ ଟିକା ନେଇସାରିଥିବା ଅନେକ ଲୋକ ପୁଣି ସଂକ୍ରମିତ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି।

ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ନେଲାଣି ୩ ଜୀବନ, ମୁମ୍ବାଇରେ ପ୍ରଥମ ମୃତ୍ୟୁ
ମୁମ୍ବାଇ: ମହାରାଷ୍ଟ୍ରରେ କରୋନାଭାଇରସ୍‌ର ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଆଜି ସୁଦ୍ଧା ୩ ଜଣଙ୍କ ଜୀବନ ନେଇଛି। ମୁମ୍ବାଇରେ ଡେଲ୍‌ଟା ପ୍ଲସ୍‌ର ପ୍ରଥମ ମୃତ୍ୟୁ ଆଜି ସାମ୍ନାକୁ ଆସିଛି। ଉଭୟ ଡୋଜ୍‌ କୋଭିଡ୍‌ ଟିକା ନେଇଥିବା ମୁମ୍ବାଇର ଜଣେ ୬୩ ବର୍ଷର ମହିଳା ଡେଲ୍‌ଟା ପ୍ଲସ୍‌ ପ୍ରଜାତିର ପ୍ରଥମ ଶିକାର ହୋଇଛନ୍ତି। ଜିନୋମ ସିକ୍ବେନ୍ସିଂ ମାଧ୍ୟମରେ ମହିଳା ଜଣକ ଡେଲ୍‌ଟା ପ୍ଲସ୍‌ରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ମହାରାଷ୍ଟ୍ରରେ ଆଜି ସୁଦ୍ଧା ଡେଲ୍‌ଟା ପ୍ଲସ୍‌ର ୬୫ ମାମଲା ଚିହ୍ନଟ ହୋଇଛି ଏବଂ ସେଥିରୁ ୧୧ଟି ମାମଲା ମୁମ୍ବାଇରେ ରହିଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ଏବେ ଦୈନିକ ସଂକ୍ରମଣ ମଧ୍ୟ ବଢ଼ୁଛି ଏବଂ ୪ ଦିନ ବ୍ୟବଧାନରେ ଆଜି ସଂକ୍ରମଣ ପୁଣି ୬ ହଜାର ଅତିକ୍ରମ କରିଯାଇଛି।

ସମ୍ବନ୍ଧିତ ଖବର