କେରଳ ସଂକ୍ରମଣ ଆଣିବ ତୃତୀୟ ଲହର: ଦେଶର ୭୦% ଦୈନିକ ସଂକ୍ରମଣ ମାମଲା କେରଳରେ

୨ ମାସରେ ସର୍ବାଧିକ ସଂକ୍ରମଣ

ନୂଆଦିଲ୍ଲୀ : କେରଳର କୋଭିଡ୍‌ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି ଏବଂ ଏହା ଦେଶରେ ତୃତୀୟ ଲହରର ପ୍ରମୁଖ କାରଣ ପାଲଟିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଲଗାତାର ତୃତୀୟ ଦିନ ଧରି କେରଳରେ ସଂକ୍ରମଣ ମାମଲା ୩୦ ହଜାର ଉପରେ ରହିବାରୁ ଦେଶର ମୋଟ୍‌ ନୂଆ ସଂକ୍ରମଣ ମାମଲାର ୭୦.୧୫ ପ୍ରତିଶତ କେବଳ କେରଳରେ ରହିଛି। ବିଗତ ୨୪ ଘଣ୍ଟାରେ ଦେଶରେ ୪୬,୭୫୯ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ କେରଳରେ ୩୨,୮୦୧ ମାମଲା ରହିଛି। କେରଳ,ମହାରାଷ୍ଟ୍ର, ତାମିଲନାଡ଼ୁ , ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ଦେଶରେ ମୋଟ୍‌ ମାମଲାର ୮୯.୪୨ ପ୍ରତିଶତ ରହିଛି । କେରଳରେ ଟେଷ୍ଟ୍‌ ପଜିଟିଭ୍‌ ହାର ଏବେ ୧୯.୨୨ ପ୍ରତିଶତ। ଗତ ୨୬ ତାରିଖରେ କେରଳରେ ଟେଷ୍ଟ୍‌ ପଜିଟିଭ୍‌ ହାର ୧୮.୦୩ ପ୍ରତିଶତ ଥିଲା। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୫୦୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ କେରଳରେ ସର୍ବାଧିକ ୧୭୯ ଜଣ ଏବଂ ମହାରାଷ୍ଟ୍ରରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ପୁଣି ନାଇଟ୍‌ କର୍ଫ୍ୟୁ ଫେରିଛି ଏବଂ ଆସନ୍ତା ସୋମବାରଠାରୁ ଏହା ଲାଗୁ ହେବ।

କେରଳ ସଂକ୍ରମଣ ଚିନ୍ତା ବଢ଼ାଇଛି। କେରଳ ସଂକ୍ରମଣ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଥିବାରୁ ବିଭିନ୍ନ ରାଜ୍ୟ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ‌୍ କହିଛନ୍ତି ଯେ ସଂକ୍ରମଣ ସପ୍ତାହକ ମଧ୍ୟରେ ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି। ତେବେ ସଂକ୍ରମଣ ବଢ଼ୁଥିବାରୁ ଲୋକମାନେ ପୂର୍ବାପେକ୍ଷା ଅଧିକ ସତର୍କ ରହିବାପାଇଁ ସେ କହିଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୩୧,୩୭୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୫୬ ପ୍ରତିଶତ ରହିଛି ଏବଂ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୧୮,୫୨,୮୦୨ରେ ପହଞ୍ଚିଛି। ଗତକାଲି ଦେଶରେ କୋଟିଏରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯାଇଛି। ଏଯାବତ୍‌ ଦେଶରେ ୬୩ କୋଟିରୁ ଅଧିକ ଡୋଜ୍‌ ଟିକା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର