କୋଭିଡ୍‌ରେ ସବୁଠୁ ପ୍ରଭାବିତ କେରଳ, ଦ୍ବିତୀୟରେ ମହାରାଷ୍ଟ୍ର

ନୂଆଦିଲ୍ଲୀ: ଅନେକ ରାଜ୍ୟ କରୋନାର ନୂତନ ସଂକ୍ରମଣ ସଂଖ୍ୟା କମେଇବାରେ ସଫଳ ହେଉଥିବା ବେଳେ କେରଳ ଓ ତା’ ପଛକୁ ମହାରାଷ୍ଟ୍ରରେ ଏହି ସଂଖ୍ୟା ବୃଦ୍ଧି ପାଇଚାଲିଛି। ନୂତନ ସଂକ୍ରମଣ ସଂଖ୍ୟାରେ ଅଧିକ ଥିବା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କ୍ରମାନ୍ବୟରେ ରହିଛନ୍ତି ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ। ସୂଚନାଯୋଗ୍ୟ ଯେ, ଦେଶରେ ନୂତନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ସାପ୍ତାହିକ ୩୦,୦୦୦ ସୀମା ଟପିଲାଣି। ଏଥିରୁ ମହାମାରୀର ତୃତୀୟ ଲହର ଏକପ୍ରକାର ଆସିସାରିଥିବା ବେଳେ ତାହା ଆଉ ପଛକୁ ହଟିବାକୁ ଚାହୁଁ ନ ଥିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି କେରଳ। ଦେଶରେ ଯେତିକି ନୂତନ ସଂକ୍ରମଣ ହେଉଥିବାର ରିପୋର୍ଟ ମିଳୁଛି ତାହାର ଅଧା ମିଳୁଛି କେରଳରୁ। ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଶନିବାର ରାଜ୍ୟରେ ୧୯,୩୫୨ ନୂତନ ସଂକ୍ରମଣ ପଞ୍ଜୀକୃତ ହୋଇଥିବା ବେଳେ ୧୪୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ପୂର୍ବଦିନ (୨୩,୨୬୦) ତୁଳନାରେ କମ୍ ହୋଇଥିଲେ ମଧ୍ୟ ତଥାପି ଏହା ହେଉଛି ସାରା ଦେଶରେ ହୋଇଥିବା ମୋଟ ସଂକ୍ରମଣ (୩୦,୭୭୩)ର ଅଧାରୁ ଅଧିକ। ବର୍ତ୍ତମାନ ସୁଦ୍ଧା କେରଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪,୮୮,୮୪୦ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ହେଉଛି ୨୩,୪୩୯। ତେବେ ନୂତନ ସଂକ୍ରମଣ ତୁଳନାରେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି।

ମହାରାଷ୍ଟ୍ରରେ ଶନିବାର ୩,୩୯୧ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସକ୍ରିୟ ସଂକ୍ରମଣ ସଂଖ୍ୟା ୪୭,୯୧୯ରେ ପହଞ୍ଚିଛି। ତୃତୀୟ ସ୍ଥାନରେ ଥିବା ତାମିଲନାଡ଼ୁରେ ୧,୬୫୩ ନୂତନ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ମହାରାଷ୍ଟ୍ର-ଫେରନ୍ତା ରହିଛନ୍ତି ଏବଂ ମୋଟ ସଂକ୍ରମଣ ସଂଖ୍ୟା ୨୬,୪୩,୬୮୩ରେ ପହଞ୍ଚିଛି। ସେହିପରି ତାମିଲନାଡ଼ୁ ପଛକୁ ଥିବା ଆନ୍ଧ୍ରପ୍ରଦେଶରେ ୧,୧୭୪ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୦,୩୭,୩୫୩ରେ ପହଞ୍ଚିଛି। କର୍ଣ୍ଣାଟକରେ ଶନିବାର ଗୋଟିଏ ଦିନରେ ୮୮୯ ଜଣ ନୂତନ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯,୬୭,୦୮୩ରେ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୫,୭୫୫ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର