ତିରୁବନନ୍ତପୁରମ୍: ସାମ୍ବାଦିକଙ୍କ ମୋଟର ସାଇକେଲକୁ ଆଇଏଏସ୍ ଅଧିକାରୀଙ୍କ କାର୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ମାଲୟାଲାମ୍ ଦୈନିକ ସମ୍ବାଦପତ୍ରର ସାମ୍ବାଦିକ ସିରାଜ କେ ମହମ୍ମଦ ବସୀର୍(୩୫) ତିରୁବନନ୍ତପୁରମର ମ୍ୟୁଜିଅମ୍ ଜଙ୍କସନ୍ ନିକଟରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଆଇଏଏସ୍ ଅଧିକାରୀ ଶ୍ରୀରାମ ଭେଙ୍କଟରମଣ ଗାଡ଼ି ଚଳାଉଥିବା ବେଳେ ତାଙ୍କର ଗାଡ଼ି ବସୀରଙ୍କ ବାଇକକୁ ଧକ୍କା ଦେଇଥିଲା । ସେ ନିଶାସକ୍ତ ଅବସ୍ଥାରେ କାର୍ ଚଳାଉଥିବା କୁହାଯାଉଛି। ଶ୍ରୀରାମ ନିକଟରେ ରାଜ୍ୟର ସର୍ଭେ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିବା ଜଣାଯାଇଛି। କାର୍ଟି ଦ୍ରୁତ ଗତିରେ ଯାଉଥିବା ପୁଲିସ କହିଛି। ଘଟଣାସ୍ଥଳରେ ହିଁ ସିରାଜଙ୍କର ପ୍ରାଣହାନି ଘଟିଛି।
ସାମ୍ବାଦିକ ସିରାଜଙ୍କୁ ଦୁର୍ଘଟଣା ପରେ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତକ ବସୀରଙ୍କର ପତ୍ନୀ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ବସୀର ନିଜର ଉତ୍ତମ ବ୍ୟବହାର ଓ କାର୍ଯ୍ୟଦକ୍ଷତା ଲାଗି ରାଜ୍ୟର ସାମ୍ବାଦିକ ମହଲରେ ବେଶ୍ ଲୋକପ୍ରିୟ ଥିଲେ। ଏହି ଦୁର୍ଘଟଣା ପରେ କେରଳର ମୁଖ୍ୟମନ୍ତ୍ରୀ ବସୀରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।