କେରଳ, କର୍ଣ୍ଣାଟକରେ ସଂଖ୍ୟାଧିକ ଆଇଏସ୍ ଆତଙ୍କବାଦୀ

ନୂଆଦିଲ୍ଲୀ୮: ସମ୍ପ୍ରତି ଦେଶର କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଉଲ୍ଲେଖନୀୟ ସଂଖ୍ୟାରେ ଆଇଏସ୍‌ ଆତଙ୍କବାଦୀ ରହିଛନ୍ତି ବୋଲି ଜାତିସଂଘର ଏକ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି। ଏପରିକି ଭାରତ, ପାକିସ୍ତାନ, ବାଂଲାଦେଶ ଓ ମିଆଁମାରର ୧୫୦ରୁ ୨୦୦ ଜଣ ସକ୍ରିୟ ଆତଙ୍କବାଦୀଙ୍କୁ ଧରି କାମ କରୁଥିବା ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ପକ୍ଷରୁ ବଡ଼ ଧରଣର ଆକ୍ରମଣ ଯୋଜନା ରହିଥିବା ଉକ୍ତ ରିପୋର୍ଟ ସତର୍କ କରାଇଦେଇଛି। ଆଇଏସ୍‌, ଅଲ୍‌-କାଏଦା ଏବଂ ସେସବୁ ସଂଗଠନ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିଥିବା ଜାତିସଂଘର ଆନାଲିଟିକାଲ ସପୋର୍ଟ ଆଣ୍ଡ୍‌ ସାଂକ୍ସନ୍‌ସ ମନିଟରିଂ ଟିମ୍‌ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ନିମରୁଜ୍‌, ହେଲମାଣ୍ଡ୍‌ ଏବଂ କାନ୍ଧାହାର ପ୍ରଦେଶରୁ ଅଲ୍‌କାଏଦା ସଂଗଠନ ଭାରତ ଉପମହାଦେଶରେ ଏହାର କାର୍ଯ୍ୟକଳାପ ଜାରି ରଖିଛି। ଅଲ୍‌କାଏଦା ନେତା ଅସିମ ଓମାର ଆକିସ ନିଧନର ବଦଲା ନେବା ପାଇଁ ଓସାମା ମେହମୁଦ ନେତୃତ୍ବରେ ୧୫୦ରୁ ୨୦୦ ଜଣ ଆତଙ୍କବାଦୀ କିଛି ବଡ଼ ଧରଣର ଅଘଟଣ ରଚାଇବା ଚକ୍କରରେ ରହିଛନ୍ତି। ଉକ୍ତ ରିପୋର୍ଟ ଅନୁସାରେ, ହିନ୍ଦ ଵିଲାହା ନାମକ ଆଇଏସ୍‌ର ଏକ ସହଯୋଗୀ ସଂଗଠନ ଭାରତରେ ୨୦୧୯ ମେ ୧୦ ତାରିଖରୁ କାମ କରୁଛି। ସେଥିରେ ୧୮୦ରୁ ୨୦୦ ଜଣ ଯାଏ ସକ୍ରିୟ ସଭ୍ୟ ଥିବା କୁହାଯାଇଛି। ଏପରିକି କେରଳ ଓ କର୍ଣ୍ଣାଟକରେ ଉକ୍ତ ସଂଗଠନର ଶାଖା ଖୋଲିବା ସହ ସେଠାରେ ସଂଖ୍ୟାଧିକ ଆତଙ୍କବାଦୀ ମଧ୍ୟ କାମ କରୁଛନ୍ତି।

ସମ୍ବନ୍ଧିତ ଖବର