ନୂଆଦିଲ୍ଲୀ: କେରଳ ଲଭ୍ ଜିହାଦ୍ ମାମଲା ଶୁଣାଣି ଜାରି ରଖି ସୋମବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଆଇନ୍ ଅନୁସାରେ ସାବାଳକ ହୋଇ ଥିବାରୁ ବିବାହ ପାଇଁ ଝିଅର ସମ୍ମତି ହିଁ ବଡ଼ କଥା।
ଝିଅ ହାଦିୟା ଓରଫ୍ ଅଖିଳା ଓ ପୁଅ ଶଫିନ୍ ଜହାଁ ବିବାହକୁ ଏ ବର୍ଷ ମେ ମାସରେ କେରଳ ହାଇକୋର୍ଟ ଅସିଦ୍ଧ ଘୋଷିତ କରିଥିଲେ। କାରଣ ଅଖିଳାଙ୍କ ବାପା ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅକୁ ବେଆଇନ୍ ଭାବେ ମୁସଲ୍ମାନ୍ ଧର୍ମରେ ଦୀକ୍ଷିତ କରାଇ ସ୍ୱାମୀ ତାକୁ ବନ୍ଦୀ କରି ରଖିଛି। ପଚରା ଉଚୁରା ପାଇଁ ସେ ଝିଅକୁ ନଭେମ୍ବର ୨୭ ତାରିଖ ଦିନ ହାଜର କରାଇବାକୁ ସୁପ୍ରିମ୍ କୋର୍ଟ ଅଦେଶ ଦେଇଛନ୍ତି।
ଜଷ୍ଟିସ୍ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି: ତା’ର ମାନସିକ ସ୍ଥିତିର ପ୍ରାଥମିକ ଆକଳନ କରିବାକୁ ମୁକ୍ତ ଅଦାଲତରେ ଖଣ୍ଡପୀଠ ସେ ୨୪ ବର୍ଷୀୟ ଝିଅ ସହ କଥାବାର୍ତ୍ତା କରିବାକୁ ଚାହେଁ। ଯଦି ବାଧ୍ୟବାଧ୍ୟକତାରେ ଧର୍ମ ପରିବର୍ତ୍ତନ କରାଯାଇଥିବାର ସନ୍ଦେହ ଉପୁଜେ, ତେବେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସେ ଝିଅର ବିସ୍ତତ ପରୀକ୍ଷଣ କରାଯିବ।