ମୁମ୍ବାଇ : ବିମାନ ଭିତରେ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଘଟଣା ଶେଷ ହେବାର ନାଁ ଧରୁନାହିଁ । ପ୍ରାୟ ପ୍ରତି ସପ୍ତାହରେ ଏପରି ଘଟଣା ଘଟୁଛି । ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ଡିଜିସିଏ)ଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଯାତ୍ରୀମାନଙ୍କ ବିଶୃଙ୍ଖଳିତ ଆଚରଣ ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ ଗତ ୨୯ ତାରିଖରେ କେରଳର କୋଚିକୁ ଯାଉଥିବା ସ୍ପାଇଶ ଜେଟର ଏକ ବିମାନ ଆକାଶରେ ଥିବାବେଳେ ବିମାନର ଶୌଚଳୟରେ ଜଣେ ୬୨ ବର୍ଷୀୟ ବ୍ୟକ୍ତି ଧୁମପାନ କରୁଥିବାବେଳେ ଧରା ପଡ଼ିଥିଲେ । ଉକ୍ତ ବ୍ୟକ୍ତି କେରଳର ତ୍ରିଶୂର ଜିଲ୍ଲାର ସୁକୁମାରନ ବୋଲି ଜଣାପଡ଼ିଛି । ତାଙ୍କୁ ଏହି ଅପରାଧରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଅନ୍ୟପକ୍ଷରେ ଗତ ବର୍ଷ ନଭେମ୍ବର ୨୬ ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ପରିସ୍ରା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଶଙ୍କର ମିଶ୍ରଙ୍କୁ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାରଦିନ ଜାମିନ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଏୟାର ଇଣ୍ଡିଆ ଶଙ୍କର ମିଶ୍ରଙ୍କ ଉପରେ ଚାରି ମାସର ପ୍ରତିବନ୍ଧକ ଲଗାଇଛି। ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଏହି ଘଟଣାରେ ସାରା ଦେଶର ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶଙ୍କର ମିଶ୍ର ବିମାନରେ ଜଣେ ୭୨ ବର୍ଷୀୟା ମହିଳାଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା । ତାଙ୍କର ଏହି ଘୃଣ୍ୟ କାର୍ଯ୍ୟର ଛଅ ସପ୍ତାହ ପରେ ତାଙ୍କୁ ଗତ ସପ୍ତାହରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା ।