‘ଭାରତ  ଯୋଡ଼ୋ ଯାତ୍ରା’ ପାଇଁ ମାତ୍ର ୫୦୦ ଟଙ୍କା ଚାନ୍ଦା ଦେବାରୁ ପରିବା ଦ‌ୋକାନୀ ଉପରେ ଆକ୍ରମଣ

କୋଲ୍ଲାମ୍‌: ‘ଭାରତ ‌ଯୋଡ଼ୋ ଯାତ୍ରା’ ନିମନ୍ତେ ୨୦୦୦ ଟଙ୍କା ଚାନ୍ଦା ହୋଇଥିବା ବ‌େଳେ ମାତ୍ର ୫୦୦ ଟଙ୍କା ଦେଇଥିବା କେରଳର କୋଲ୍ଲାମ୍‌ରେ ଜଣେ ପରିବା ଦୋକାନୀ ଉପରେ କଂଗ୍ରେସ କର୍ମୀମାନେ ଆକ୍ରମଣ କରି ତାଙ୍କ ଦୋକାନ ଭାଙ୍ଗି ପକାଇଥିବା ଅଭିଯୋଗ ହୋଇଛି।

ଗୋଟାଏ ଭିଡିଓରେ ପରିବା ଦୋକାନୀ ଏସ୍‌. ଫୱାଜ୍‌ କହିଛନ୍ତି, ‘ଭାରତ ଯୋଡ଼ୋ ଯାତ୍ରା’ ନିମନ୍ତେ ପାଣ୍ଠି ସଂଗ୍ରହ ନାଁରେ କେତେକ କଂଗ୍ରେସ କର୍ମୀ ମୋ ଉପରେ ଏବଂ ମୋ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସେମାନେ ୨୦୦୦ ଟଙ୍କା ମାଗିଥିଲେ, କିନ୍ତୁ ମୁଁ ମାତ୍ର ୫୦୦ ଟଙ୍କା ଦେଇଥିଲି। ସେମାନେ ମୋ ଦୋକାନରେ ପରିବାପତ୍ର ଫିଙ୍ଗାଫିଙ୍ଗି କରିବା ସହ ଗ୍ରାହକମାନଙ୍କୁ ଅପମାନ ଦେଲେ।

Image Courtesy of NDTV

ଦୋକାନରେ ଥିବା କର୍ମଚାରୀମାନଙ୍କୁ କଂଗ୍ରେସ କର୍ମୀମାନେ ଆକ୍ରମଣ କରିଛନ୍ତି ଓ ମତେ ମଧ୍ୟ ମାରି ପକାଇବେ ବୋଲି ଧମକ ଦେଇଛନ୍ତି ବୋଲି ଫାୱାଜ୍‌ କହିଛନ୍ତି। ଯେଉଁ ୫ଜଣ ମୋ ଦୋକାନ ଭାଙ୍ଗିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଏଚ୍‌.ଅନୀଶ।

ଉପରୋକ୍ତ ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ବିବୃତି ଦେଇ କଂଗ୍ରେସ କହିଛି, ଦଳର ଆଦର୍ଶରୁ ବିଚ୍ୟୁତ ବ୍ୟକ୍ତିମାନେ ଏ କାମ କରିଛନ୍ତି। ଦଳ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କେରଳ ପ୍ରଦେଶ କଂଗ୍ରେସ କମିଟି ସଭାପତି କେ.ସୁଧାକରନ୍‌ କହିଛନ୍ତି ଯେ, ଏହି ଘଟଣାରେ ସମ୍ପୃକ୍ତ ଥିବା ଦଳର ୩ଜଣ ସଦସ୍ୟଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ସେମାନେ ଆମ ଆଦର୍ଶର ପ୍ରତିନିଧିତ୍ବ କରୁ ନାହାନ୍ତି। ଏଭଳି ଆଚରଣ ଅକ୍ଷମଣୀୟ। ଦଳ ସ୍ବେଚ୍ଛାକୃତ ଭାବେ ମିଳୁଥିବା ଅ‌ଳ୍ପବହୁତ ଦାନ ଗ୍ରହଣ କରେ, କର୍ପୋରେଟ୍‌ ଦାନ ପାଏନାହିଁ।

ସମ୍ବନ୍ଧିତ ଖବର