ଆବୁ ଧାବି ଛାଡ଼ିବା ପୂର୍ବରୁ ଲଟେରି ଟିକିଟ୍‌ କିଣି ୧୩ କୋଟି ଟଙ୍କା ଜିଣିଲେ କେରଳୀ ବ୍ୟକ୍ତି

ନୂଆଦିଲ୍ଲୀ: ନିକଟରେ ସଂଯୁକ୍ତ ଆରବ ଏମିରେଟ୍‌ ଛାଡ଼ି ଭାରତ ଫେରି ଆସିଥିବା ଜଣେ କେରଳୀ ବ୍ୟକ୍ତିଙ୍କ ଜୀବନ ବଦଳାଇ ଦେଇଛି ଗୋଟାଏ ଲଟେରି ଟିକିଟ୍‌। ଆବୁ ଧାବି ଛାଡ଼ି ବିମାନରେ ବସି ଭାରତ ଫେରିବା ପୂର୍ବରୁ ନିଜ ଭାଗ୍ୟ ପରଖିବା ପାଇଁ ଲୋକଟି ଗୋଟାଏ ଲଟେରି ଟିକିଟ୍‌ ଖରିଦ କରିଥିଲେ। ଏବଂ ସତକୁ ସତ ତାହା ତାଙ୍କର ଭାଗ୍ୟ ବଦଳାଇ ଦେଲା। ସେଥିରେ ସେ ଜିଣିଛନ୍ତି ୧୯ ଲକ୍ଷ ଆମେରିକୀୟ ଡଲାର୍‌ ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ହେବ ପ୍ରାୟ ୧୩ କୋଟି ଟଙ୍କା।

ଖଲିଜ୍‌ ଟାଇମ୍‌ସ୍‌ରେ ପ୍ରକାଶିତ ଖବର ଅନୁସାରେ, କେରଳ ନିବାସୀ ତୋଜୋ ମାଥ୍ୟୁ ଜଣେ ସିଭିଲ୍‌ ଇଞ୍ଜିନିୟର୍‌ ଭାବେ ଆବୁ ଧାବିରେ ସିଭିଲ୍‌ ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରନ୍ତି। ଜୁନ୍‌ ୨୪ ତାରିଖ ଦିନ ସେ ସଂଯୁକ୍ତ ଆରବ ଏମିରେଟ୍‌ ଛାଡ଼ିବାର ଟିକିଏ ସମୟ ପୂର୍ବରୁ ଏକ ଲଟେରି ଟିକିଟ୍‌ ଖରିଦ କରିଥିଲେ। ଲଟେରି ଜିଣିଥିବା ଖବର ସେ ଗତ ମଙ୍ଗଳବାର ଦିନ ପାଇଛନ୍ତି।

ଖଲିଜ୍‌ ଟାଇମ୍‌ସ୍‌କୁ ସେ କହିଛନ୍ତି ଯେ ନିକଟରେ ନୂଆଦିଲ୍ଲୀରେ ଚାକିରି ପାଇଥିବା ନିଜ ପତ୍ନୀଙ୍କ ପାଖରେ ରହିବାକୁ ସେ ସଂଯୁକ୍ତ ଆରବ ଏମିରେଟ୍‌ ଛାଡ଼ିଛନ୍ତି। ଲଟେରି ଜିଣିଛନ୍ତି ବୋଲି ମିଳିଥିବା ଖବରକୁ ପ୍ରଥମେ ସେ ବିଶ୍ୱାସ କରି ପାରିଲେ ନାହିଁ। ସେ ଟଙ୍କାରେ କେରଳରେ ଘର ଖଣ୍ଡେ ତୋଳିବେ ବୋଲି ସେ କହିଛନ୍ତି।

ମାଥ୍ୟୁଙ୍କ ଛଡ଼ା ଅନ୍ୟ ୯ ଜଣ ମଧ୍ୟ ୨୭୦୦୦ ଆମେରିକୀୟ ଡଲାର୍‌ର ଲଟେରି ଜିଣିଛନ୍ତି। ବିଜେତାମାନଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଭାରତୀୟ, ଜଣେ ପାକିସ୍ତାନୀ ଏବଂ ଜଣେ କୁଏତ୍‌ର ନାଗରିକ।

ସମ୍ବନ୍ଧିତ ଖବର