ନାବାଳକ ନାତିକୁ ଯୌନ ଅସଦାଚରଣ କରିଥିବା ଅପରାଧୀକୁ ୭୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କଲେ ଅଦାଲତ

ଥିରୁବନନ୍ତପୁରମ: କେରଳ ଇଡୁକି ଜିଲ୍ଲାର ଏକ ଫାଷ୍ଟ ଟ୍ରାକ୍‌ କୋର୍ଟ ସୋମବାର ଜଣେ ୬୪ ବର୍ଷବୟସ୍କ ବ୍ୟକ୍ତିଙ୍କୁ ୭୩ ବର୍ଷ ଜେଲଦଣ୍ଡ ଏବଂ ୧,୬୦,୦୦୦ ଜରିମାନାରେ ଦଣ୍ଡିତ କରିଛନ୍ତି। ତିନି ବର୍ଷ ପୂର୍ବେ ଅଭିଯୁକ୍ତ ଜଣକ ନିଜର ସାତ ବର୍ଷର ନାତିକୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା।

ଦଣ୍ଡର ପରିମାଣ ଏକାସାଙ୍ଗରେ ଚାଲିବ ଏବଂ ଅପରାଧୀକୁ ସର୍ବନିମ୍ନ କୋଡ଼ିଏ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି। ଏହି ରାୟ ପ୍ରଦାନ କରିବା ସମୟରେ ବିଚାରପତି ପିଜି ଭର୍ଗିସ୍‌ କହିଛନ୍ତି ଯେ ଦୋଷୀମାନେ ଏପରି ଅପରାଧ ପାଇଁ କୌଣସି ସହାନୁଭୂତି ଏବଂ ଦଣ୍ଡ ହ୍ରାସ ପାଇଁ ଅନୁରୋଧ କରିବାକୁ ଯୋଗ୍ୟ ନୁହଁନ୍ତି।

ଏହି ମାମଲାରେ ସରକାରୀ ଓକିଲ ସନୀଶ ଏସ କହିଛନ୍ତି, ଅପରାଧୀକୁ ପୋକ୍ସୋର ତିନିଟି ଧାରା ଅଧୀନରେ ୨୦ ବର୍ଷ ଲେଖାଏଁ ଏବଂ ବାରମ୍ବାର ଅପରାଧ ପାଇଁ ଆଉ ୧୦ ବର୍ଷ ଏବଂ ଧାରା ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ) ଅଧୀନରେ ତିନି ବର୍ଷ ଜେଲଦଣ୍ଡ ପ୍ରଦାନ କରାଯାଇଥିଲା।

ଆଗତ ଅଭିଯୋଗ ଅନୁଯାୟୀ, ଏହି ଘଟଣା ସେପ୍ଟେଟର ୨୦୧୯ରେ ଘଟିଥିଲା ଏବଂ ଅଭିଯୁକ୍ତଙ୍କ ପତ୍ନୀ ଏହି ଅପରାଧ ଦେଖି ତୁରନ୍ତ ପୁଲିସକୁ ଜଣାଇବା ପରେ ସାମ୍ନାକୁ ଆସିଥିଲା। ପରେ, ଏକ ଡାକ୍ତରୀ ରିପୋର୍ଟ ଯୌନ ନିର୍ଯାତନାକୁ ନିଶ୍ଚିତ କରିଥିଲା। ଏହାପରେ ଅଭିଯୁକ୍ତଙ୍କୁ ଯୌନ ଅପରାଧରୁ ଶିଶୁସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ଗିରଫ କରାଯିବା ସହ ମାମଲା ରୁଜ୍ଜୁ କରା ଯାଇଥିଲା।

ବିଚାର ସମୟରେ, ଶିଶୁର ପିତା ଏବଂ ଅନ୍ୟ କିଛି ସମ୍ପର୍କୀୟ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଅଦାଲତ ପୂର୍ବ ବିବୃତ୍ତି ଏବଂ ଡାକ୍ତରୀ ରିପୋର୍ଟ ଉପରେ ନିର୍ଭର କରିଥିଲେ। ଜରିମାନା ବ୍ୟତୀତ, ପୀଡିତଙ୍କୁ କ୍ଷତିପୂରଣ ଦେବା ପାଇଁ ଅଦାଲତ ଆଇନ ସେବା କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର