ଥିରୁବନନ୍ତପୁରମ୍‌: ଏକ ସାମାନ୍ୟ ଘରୋଇ କଳହର ଅତି ଶୋଚନୀୟ ପରିଣତି ଦେଖିବା ପାଇଁ ମିଳିଛି କେରଳରେ। କେରଳର ତ୍ରିଶୂରରେ ଘରୋଇ କଳହକୁ କେନ୍ଦ୍ର କରି ଗୁରୁବାର ସକାଳେ ଜଣେ ବ୍ୟକ୍ତି ନିଜ ଶୋଇଥିବା ପୁଅ, ବୋହୂ ଓ ନାତିଙ୍କୁ ନିଆଁ ଲଗାଇ ଦେଇଛନ୍ତି। ପରେ ବ୍ୟକ୍ତି ଜଣକ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ତ୍ରିଶୂର ଜିଲ୍ଲାର ମାନୁଥି ଅଞ୍ଚଳରେ ରହୁଥିବା କୋଟେକାଟିଲ ଜନସନ ପାରିବାରିକ କଳହକୁ କେନ୍ଦ୍ର କରି ଶୋଇବା ଘରେ ଶୋଇଥିବା ତାଙ୍କ ପୁଅ ଜୋଜି, ବୋହୂ ଲିଜି ଓ ନାତି ତେନ୍ଦୁଲକରଙ୍କୁ ନିଆଁ ଲଗାଇ ଦେଇଥିଲେ।

Advertisment

ଏହି ଘଟଣାରେ ସଂପୃକ୍ତ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଏର୍ଣ୍ଣାକୁଲମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ତେବେ, ଚିକତ୍ସାଧୀନ ଅବସ୍ଥାରେ ପୁଅ ଜୋଜି ଓ ନାତି ତେନ୍ଦୁଲକରଙ୍କ ମୃତ୍ୟୁ ଘଟିଛି। ବୋହୂ ଲିଜିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏହି ଘଟରା ପରେ ଜନସନ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ତ୍ରିଶୂରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ପୁଲିସ କହିଛି। ଜନ୍‌ସନ୍‌ ମଧ୍ୟ ସାମାନ୍ୟ ପୋଡ଼ି ଯାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ ଖୋଜାଖୋଜି କରୁଥିବା ବେଳେ ଜନସନ ଘର ଛାତ ଉପରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ପଡ଼ୋଶୀଙ୍କ କହିବା ଅନୁଯାୟୀ, ଜନସନ ଓ ତାଙ୍କ ପୁଅଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେବ ବିଭିନ୍ନ କଥାକୁ ନେଇ ଝଗଡ଼ା ହେଉଥିଲା। ତେବେ ଆଜି ସକାଳୁ ତାଙ୍କ ଘରୁ ଧୂଆଁ ବାହାରୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ପୁଲିସକୁ ଘଟଣା ସଂପର୍କରେ ଖବର ଦେଇଥିଲେ।