ବିଧାନସଭାରେ ଆସବାବପତ୍ର ନଷ୍ଟ କରିଥିବାରୁ ବିଚାରର ସମ୍ମୁଖୀନ ହେବେ କେରଳର ମନ୍ତ୍ରୀ ଓ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ: ୨୦୧୫ରେ ରାଜ୍ୟ ବିଧାନସଭାରେ ପ୍ରତିବାଦ ପ୍ରଦର୍ଶନକାଳୀନ ଆସବାବପତ୍ର ଭଙ୍ଗାରୁଜା ଘଟଣାରେ ଜଡ଼ିତ ଥିବା ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭି ଶିବନକୁଟ୍ଟି, କେଟି ଜଲୀଲ ଏବଂ ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସମେତ କେରଳ ଶାସକ ଦଳ ‘ସିପିଏମ୍’ର ସଦସ୍ୟମାନେ ବିଚାରର ସମ୍ମୁଖୀନ ହେବେ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ରାଜନେତାମାନଙ୍କୁ ତୀବ୍ର ଭର୍ତ୍ସନା କରି ଅଦାଲତ ଗୁରୁତ୍ବାରୋପ କରି କହିଲେ ଯେ, ବିଧାୟକମାନଙ୍କୁ ମିଳିଥିବା ସୁବିଧା ଓ ସୁରକ୍ଷା ଅପରାଧିକ ଆଇନରୁ ଖସିଯିବାର ବାଟ ନୁହେଁ। ବିଧାୟକମାନେ ଏହି ସୁବିଧାସୁଯୋଗର ଫାଇଦା ଉଠାଇବା ହେଉଛି ଭୋଟର୍‌ମାନଙ୍କ ପ୍ରତି ବିଶ୍ବାସଘାତକତା।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଏମ୍‌ଆର୍‌ ଶାହଙ୍କୁ ନେଇ ଗଠିତ ଦୁଇ-ବିଚାରପତିବିଶିଷ୍ଟ ଖଣ୍ଡପୀଠ ରାୟ ଶୁଣାଇ କହିଲେ, ସାଂସଦ ଏବଂ ବିଧାୟକମାନଙ୍କୁ ଭାରତୀୟ ସମ୍ବିଧାନର ବାସ୍ତବ ବିଶ୍ବାସକୁ ଗ୍ରହଣ ଓ ସହ୍ୟ କରିବାକୁ ପଡ଼ିବ। ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଭଳି କାର୍ଯ୍ୟ ବାକ୍‌ ସ୍ବାଧୀନତା ସହ ସମାନ କରାଯାଇ ପାରିବନାହିଁ। ବିଧାୟକମାନଙ୍କୁ ମିଳୁଥିବା ସୁବିଧାସୁଯୋଗ ଅପରାଧିକ ଆଇନରୁ ଖସିଯିବାର ବାଟ ନୁହେଁ।

Image Courtesy of NDTV

ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, କେରଳ ସରକାରଙ୍କ ଆବେଦନରେ କୌଣସି ମୂଲ୍ୟ ନାହିଁ।

ସୂଚନାଯାଗ୍ୟ, ଆପଣାର ନେତାମାନଙ୍କ ବି‌ରୋଧରେ ଚାଲିଥିବା ମାମଲା ପ୍ରତ୍ୟାହାର କରି ନେବାକୁ କେରଳ ସରକାର କରିଥିବା ଆବେଦନ ଉପରେ ରାୟ ଶୁଣାଇ ଅଦାଲତ ଏକଥା କହିଛନ୍ତି।

ବିଧାୟକମାନଙ୍କ ଆଚରଣକୁ ଭର୍ତ୍ସନା କରି ଶୀର୍ଷ ଅଦାଲତ କହିଲେ, ଗୃହରେ ଅବାଧ୍ୟ ଏବଂ ଉଚ୍ଛୃଙ୍ଖଳ କାର୍ଯ୍ୟ ନିମନ୍ତେ ସେମାନେ ଦାୟୀ ରହିବେ। ଅଦାଲତ ପଚାରିଛନ୍ତି, ପ୍ରତିନିଧିତ୍ବ କରୁଥିବା ସାଧାରଣ ଜନତାଙ୍କୁ ଆପଣ କି ପ୍ରକାର ବାର୍ତ୍ତା ଦେଉଛନ୍ତି। ଅବାଧ୍ୟ ଏବଂ ଉଚ୍ଛୃଙ୍ଖଳ କାର୍ଯ୍ୟ ନିମନ୍ତେ ବିଧାୟକମାନଙ୍କୁ ଦାୟୀ କରା ନ ଗଲେ ଏ ଭଳି ଆଚରଣକୁ ଦମନ କରି ହେବନାହିଁ।

ସମ୍ବନ୍ଧିତ ଖବର