ନିଯୁକ୍ତିରେ ସ୍ୱଜନ ତୋଷଣ ମହଙ୍ଗା ପଡ଼ିଲା; ଲୋକାୟୁକ୍ତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବାପରେ ଇସ୍ତଫା ଦେଲେ କେରଳ ମନ୍ତ୍ରୀ

କୋଚି: କେରଳର ଉଚ୍ଚଶିକ୍ଷା, ସଂଖ୍ୟାଲଘୁ ସମ୍ପ୍ରଦାୟ କଲ୍ୟାଣ, ୱାକଫ ଏବଂ ହଜ୍‌ ମନ୍ତ୍ରୀ କେ.ଟି ଜଲିଲ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରି ମନ୍ତ୍ରୀ ଜଲିଲ ସ୍ୱଜନ ପ୍ରିତୀ ଦେଖାଇ ନିଜର ଜଣେ ସମ୍ପର୍କୀୟଙ୍କୁ ଏକ ସରକାରୀ ଚାକିରିରେ ନିଯୁକ୍ତି ଦେଇଥିଲେ। ଏ ଘଟଣା ଜଣା ପଡ଼ିବା ପରେ ମନ୍ତ୍ରୀ ଜଲିଲଙ୍କ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗର ତଦନ୍ତ କରି ଲୋକାୟୁକ୍ତ ମନ୍ତ୍ରୀ ଜଲିଲଙ୍କୁ ସ୍ୱଜନ ତୋଷଣ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ଲୋକାୟୁକ୍ତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବାପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ଜଲିଲଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଲୋକାୟକ୍ତଙ୍କ ଆଦେଶକୁ ଖାରଜ କରିବା ପାଇଁ ଜଲିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ମାମଲା କୋର୍ଟରେ ବିଚାର ପାଇଁ ଆସିବା ପୂର୍ବରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ଗତ ନଭେମ୍ବର ୨୦୧୮ରେ, ମନ୍ତ୍ରୀ ଜଲିଲ ନିଜ ପଦବୀ ଓ କ୍ଷମତାର ଅପବ୍ୟବହାର କରି ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ନିଜର ସମ୍ପର୍କୀୟ ଭାଇ ଆଡିବ କେ.ଟିଙ୍କୁ କେରଳ ରାଜ୍ୟ ସଂଖ୍ୟାଲଘୁ ବିକାଶ ଅର୍ଥ ନିଗମର ଜେନେରାଲ ମ୍ୟାନେଜର ଭାବରେ ନିଯୁକ୍ତି ଦେଇଥିଲେ। ଏ ଘଟଣା ଜଣାପଡ଼ିବା ପରେ ମୁସଲିମ ଯୁବ ଲିଗ୍‌ ଲୋକାୟୁକ୍ତଙ୍କ ନିକଟରେ ମନ୍ତ୍ରୀ ଜଲିଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲା।

ସମ୍ବନ୍ଧିତ ଖବର