କୋଝିକୋଡ଼ ବିମାନ ଦୁର୍ଘଟଣାର ପ୍ରଥମ ପାଞ୍ଚ ମିନିଟ୍‌

କୋଝିକୋଡ଼(କେରଳ): ଗତ ୭ ତାରିଖ ସନ୍ଧ୍ୟାରେ କେରଳର କୋଝିକୋଡ଼ ସ୍ଥିତ କାଲିକଟ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯେତେବେଳେ ଭାରତୀୟ ଯାତ୍ରୀବାହୀ ବିମାନ ଆଇଏକ୍ସ-୧୩୪୪ ଦୁର୍ଘଟଣାଗ୍ରସ୍ତ ହେଲା, ସରକାରୀ ଅଧିକାରୀ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଧନଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ତେବେ ଦୁର୍ଘଟଣାପର ସେହି ପ୍ରଥମ ପାଞ୍ଚ ମିନିଟ୍‌ର ଯୋଗାଯୋଗ ପରେ ସଂଘଟିତ ତତ୍କାଳ ଉଦ୍ଧାର କାର୍ଯ୍ୟ ହିଁ ସବୁ କିଛି ବଦଳାଇ ଦେଇଥିଲା। ତେବେ ଏଭଳି ତ୍ବରିତ ପ୍ରକ୍ରିୟା ପଛରେ ସେଠାରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ସିଆଇଏସ୍‌ଏଫ୍‌ ଯବାନମାନଙ୍କ ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଥିଲା।

ଘଟଣା ଦିନ ଦୁବାଇରୁ ୧୯୦ ଜଣ ଯାତ୍ରୀଙ୍କୁ ଧରି ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ବୋଇଂ-୭୩୭ ବିମାନଟି ସନ୍ଧ୍ୟା ଠିକ୍‌ ୭ଟା ୪୦ରେ କାଲିକଟ୍‌ ବିମାନବନ୍ଦର ବର୍ଷାପ୍ଲାବିତ ରନ୍‌ୱେରେ ଖସଡ଼ିଯାଇ ସୁରକ୍ଷା ପ୍ରାଚୀର ଭାଙ୍ଗିବା ସହ ଦୁଇ ଗଡ଼ ହୋଇ ୩୫ ମିଟର ତଳ ଗଡ଼ାଣିକୁ ଖସି ଯାଇଥିଲା। ଘଟଣାସ୍ଥଳ ଫାଟକ ନଂ-୮ରେ ସେତେବେଳେ ଉପସ୍ଥିତ ଥିବା ସିଆଇଏସ୍‌ଏଫ୍‌ ସବ୍‌ଇନ୍ସପେକ୍ଟର ଅଜିତ୍‌ ସିଂହ ଏ ସମ୍ପର୍କରେ ସିଆଇଏସ୍‌ଏଫ୍‌ ନିୟନ୍ତ୍ରଣ କକ୍ଷକୁ ତୁରନ୍ତ ଅବଗତ କରାଇଥିଲେ। ୭ଟା ୪୧ରେ ସେଠାରୁ ବିମାନବନ୍ଦରର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଏବଂ ସିଆଏସଏଫ୍‌ର କ୍ବିକ୍‌ ରେସପନ୍ସ ଟିମ୍‌କୁ ଆଲର୍ଟ କରାଯାଇଥିଲା। ସେହିପରି ୭ଟା ୪୨ରେ ବିମାନବନ୍ଦରର ଅଗ୍ନି ନିର୍ବାପକ କେନ୍ଦ୍ରକୁ ସତର୍କ ଜାରି କରାଯାଇଥିଲା। ୭ଟା ୪୩ ବେଳକୁ ବିମାନ ବନ୍ଦରର ସ୍ବାସ୍ଥ୍ୟ ବିଭାଗକୁ ସିଆଇଏସ୍‌ଏଫ୍‌ ଜାଗ୍ରତ କରାଇଥିଲା। ସେହିପରି ୭ଟା ୪୪ରେ ବିମାନବନ୍ଦରର ଟର୍ମିନାଲ୍‌ ମ୍ୟାନେଜରଙ୍କୁ ସିଆଇଏସ୍‌ଏଫ୍‌ ନିୟନ୍ତ୍ରଣ କକ୍ଷ ଯୋଗାଯୋଗ କରିବା ସହ ବିମାନବନ୍ଦରର ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲା। ୭ଟା ୪୫ରେ ନିୟନ୍ତ୍ରଣ କକ୍ଷରୁ ସ୍ଥାନୀୟ ପୁଲିସ ସମେତ ସିଆଇଏସ୍ଏଫ୍‌ର ଅନ୍ୟ ଶାଖାକୁ ମଧ୍ୟ ସତର୍କ କରାଯାଇଥିଲା। ଫଳସ୍ବରୂପ ଦୁର୍ଘଟଣାର ମାତ୍ର ପାଞ୍ଚରୁ ସାତ ମିନିଟ୍‌ ଭିତରେ ବିଭିନ୍ନ ଉଦ୍ଧାରକାରୀ ଦଳ ସମେତ ସ୍ଥାନୀୟ ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ।

ସମ୍ବନ୍ଧିତ ଖବର