କେରଳରେ ପ୍ରଳୟ: ଥମୁନି ବିପର୍ଯ୍ୟୟ

ଜୁନ୍‌ ୧ରୁ ୨୩୪୪ ମିମି ବର୍ଷା, ଦିଲ୍ଲୀର ବାର୍ଷିକ ବୃଷ୍ଟିପାତଠାରୁ ୫ ଗୁଣ ଅଧିକ

ନୂଆଦିଲ୍ଲୀ: କେରଳରେ ଏବେ ବନ୍ୟା ବିପର୍ଯ୍ୟୟ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ବିଗତ ୧୦୦ ବର୍ଷରେ ସବୁଠାରୁ ବଡ଼ ବନ୍ୟାକୁ ଏବେ କେରଳ ସାମ୍ନା କରୁଛି। ଜୁନ୍‌ ୧ ତାରିଖରୁ ଅଗଷ୍ଟ ୧୮ ତାରିଖ ସୁଦ୍ଧା କେରଳରେ ୨୩୪୪.୮୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସ୍ୱାଭାବିକ ଭାବେ ୧୬୪୯ ମିମି ବର୍ଷା ହୋଇଥାଏ। କିନ୍ତୁ ଅଧିକ ୪୨.୧୭ ପ୍ରତିଶତ ବର୍ଷା ରାଜ୍ୟରେ ଜଳପ୍ରଳୟ ସୃଷ୍ଟି କରିଛି। ରାଜ୍ୟର ୧୦ଟି ଜିଲ୍ଲାରେ ସ୍ଥିତି ଅତି ସାଂଘାତିକ ରହିଛି। ବିଶେଷ କରି ଏର୍ଣ୍ଣାକୁଲମ, ଆଲ୍‌ଫୁଜା, କୋଟ୍ଟାୟମ, କୋଲାମ, କୋଝିକୋଡ଼ ଏବଂ ମାଲାପୁରମ୍‌ରେ ଭୟଙ୍କର କ୍ଷତି ଘଟିଛି। ରାଜ୍ୟରେ ସବୁଠରୁ ଅଧିକ ବର୍ଷା ଇଦୁକ୍କି ଜିଲ୍ଲାରେ ହୋଇଛି। ସ୍ୱାଭାବିକଠାରୁ ୭୦ ପ୍ରତିଶତରୁ ଅଧିକ ବର୍ଷା ଜିଲ୍ଲାକୁ ବୁଡ଼ାଇ ଦେଇଛି। ଗତ ବର୍ଷ ୧୨ ମାସରେ କେରଳରେ ୨୬୬୪.୯ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ଅଢ଼େଇ ମାସରେ ୨୩୪୪.୮୪ ମିମି ବର୍ଷା ନାହିଁ ନଥିବା ବିପର୍ଯ୍ୟୟ ସୃଷ୍ଟି କରିଛି। ଚଳିତ ବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀରେ ୫୪୬.୭ ମିମି ବର୍ଷା ହୋଇଛି। ସ୍ୱାଭାବିକଠାରୁ ଏଠାରେ ୨୧ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି।

ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଥିରୁବନନ୍ତପୁରମ୍‌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବନ୍ୟାଗ୍ରସ୍ତ କେରଳର ସ୍ଥିତି ସମୀକ୍ଷା କରିଛନ୍ତି ଏବଂ କେରଳ ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟକୁ ୧୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ତେବେ ୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ବାଦ୍‌ ମୋଦୀ ପିଏମ୍‌ଏନ୍‌ଆରଏଫ୍‌ (ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି)ରୁ ପ୍ରତ୍ୟେକ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ମୋଦୀ ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା ପାଇଁ ଏବଂ ପ୍ରଭାବିତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଶିବିର କରିବାପାଇଁ ବୀମା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପ୍ରାରମ୍ଭିକ ଆକଳନରୁ ରାଜ୍ୟରେ ପ୍ରାୟ ୨୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ମୋଦୀଙ୍କୁ କହିଥିଲେ ଏବଂ ତତ୍କାଳ ୨୦୦୦ କୋଟି ଟଙ୍କାର ସହାୟତା ରାଶି ଚାହିଥିଲେ। କିନ୍ତୁ ମୋଦୀ ପ୍ରଥମ ପର୍ଯ୍ୟାୟରେ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

୭ ଲକ୍ଷ ଲିଟର ପାଣି ପହଞ୍ଚିଲା
ବନ୍ୟା ପ୍ରପୀଡ଼ିତ କେରଳକୁ ଆଜି ପୁନେ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ପାନୀୟ ଜଳ ପଠାଯାଇଛି। ୧୪ଟ ବଡ଼ ବଡ଼ ଟ୍ୟାଙ୍କର୍‌ରେ କେରଳକୁ ପାଣି ପଠାଯାଇଛି। ପ୍ରତ୍ୟେକଟି ଟ୍ୟାଙ୍କରରେ ୭୦,୦୦୦ ଲିଟର ପାଣି ରହିଛି। ସେହିପରି ରତଲମ୍‌ ଷ୍ଟେସନ୍‌ରୁ ଅନ୍ୟ ୧୫ଟି ଟ୍ୟାଙ୍କର୍‌ ଯୋଗେ କେରଳରେ ପାଣି ପହଞ୍ଚାଇବାପାଇଁ ବ୍ୟବସ୍ଥା କରାଯାଇଛି। ପୁନେରୁ ସମୁଦାୟ ୨୯ଟି ଟ୍ୟାଙ୍କରରେ ୧୪.୫ ଲକ୍ଷ ଲିଟର ପାଣି କେରଳକୁ ପଠାଯିବାପାଇଁ ବ୍ୟବସ୍ଥା କରାଯାଇଛି।

୨୬ ଜଣଙ୍କୁ ଉଦ୍ଧାର କଲେ କ୍ୟାପଟେନ୍‌ ରାଜକୁମାର
କେରଳ ବନ୍ୟାଜଳରେ ଫସି ରହିଥିବା ଅନେକ ଲୋକଙ୍କୁ ଏବେ ଭାରତୀୟ ସେନା ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ଉଦ୍ଧାର କରୁଛନ୍ତି। ଅନେକ ଲୋକଙ୍କ ପାଇଁ ଉଦ୍ଧାରକାରୀ ଯବାନ ଦେବଦୁତ ସାଜିଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଭାରତୀୟ ନୌସେନାର କ୍ୟାପଟେନ୍‌ ପି ରାଜକୁମାର। ସେ ଏକ ହେଲିକପ୍ଟରରେ ୨୬ ଜଣଙ୍କୁ ଉଦ୍ଧାର କରିଛନ୍ତି। ଗତକାଲି ଏକ ସଂକୀର୍ଣ୍ଣ ପଥ ଥିବା ଛାତ ଉପରେ କ୍ୟାପଟେନ୍‌ ରାଜକୁମାର ହେଲିକପ୍ଟର ଲ୍ୟାଣ୍ଡ୍‌ କରି ୨୬ ଜଣଙ୍କୁ ଉଦ୍ଧାର କରିଛନ୍ତି। ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ସେ ହେଲିକପ୍ଟର ଅବତରଣ କରି ଲୋକମାନଙ୍କୁ ଉଦ୍ଧାର କରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନୌସେନା ମୁଖପାତ୍ର ମଧ୍ୟ କ୍ୟାପଟେନ୍‌ ପି ରାଜକୁମାର ଅତ୍ୟନ୍ତ ସାହସିକ ପଦକ୍ଷେପ ନେବାରୁ ୨୬ ଜୀବନ ବଂଚିଗଲା ବୋଲି କହିଛନ୍ତି।

୨୫ଟି କୁକୁରଙ୍କୁ ବନ୍ୟା ଘେରରେ ଛାଡ଼ିଲେନି ମହିଳା
ବନ୍ୟା ଘେରରେ ଥିବା ଥ୍ରିସୁର୍‌ର ଜଣେ ମହିଳା ତାଙ୍କ ପୋଷା କୁକୁରଙ୍କୁ ଛାଡ଼ିଦେଇ ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହିନଥିଲେ। ସୁନିତା ନାମ୍ନୀ ଏହି ମହିଳାଙ୍କୁ ଉଦ୍ଧାରକାରୀ ଦଳ ଠାବ କରିଥିଲେ। ତେବେ ସମସ୍ତ କୁକୁରଙ୍କୁ ସାଙ୍ଗରେ ନେଲେ ହିଁ ମୁଁ ଜିବି ବୋଲି କହିବାରୁ ଉଦ୍ଧାରକାରୀ ଦଳ ତାଙ୍କୁ ଛାଡ଼ି ଆସିବାକୁ ବାଧ୍ୟ ହୋଇଥିଲେ। ଶେଷରେ ସେ ହ୍ୟୁମାନ୍‌ ସୋସାଇଟି ଇଣ୍ଟରନ୍ୟାସନାଲ୍‌ର ସାଲ୍ଲି ବର୍ମାଙ୍କ ସହ ଯୋଗାଯୋଗ କରିବାପରେ ଅନ୍ୟ ଏକ ଉଦ୍ଧାରକାରୀ ଦଳ ୨୫ଟି କୁକୁର ସମେତ ସୁନିତାଙ୍କୁ ଉଦ୍ଧାର କରିଥିଲେ। ଏବେ ଏହି ୨୫ କୁକୁର ମଧ୍ୟ ରିଲିଫ୍‌ କ୍ୟାମ୍ପ୍‌ରେ ରହିଛନ୍ତି।

ସହାୟତାର ହାତ ବଢ଼ାଇଲା ୟୁଏଇ


କେରଳର ଉତ୍କଟ ବନ୍ୟା ସ୍ଥିିତି ପାଇଁ ବିଭିନ୍ନ ରାଜ୍ୟ ଏବେ ସହଯୋଗର ହାତ ବଢ଼ାଇଥିବା ବେଳେ ବିଦେଶୀ ରାଷ୍ଟ୍ର ମଧ୍ୟ ଏବେ କେରଳ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ୟୁଏଇ ଏବେ କେରଳକୁ ଯଥାସମ୍ଭବ ସହାୟତା କରିବାକୁ ନିଷ୍ପତ୍ତି ନେଇଛି। ୟୁଏଇ ରାଷ୍ଟ୍ରପତି ସେଖ୍‌ ଖଲିଫା କେରଳକୁ ସହାୟତା ଯୋଗାଇବା ପାଇଁ ଜାତୀୟ ଜରୁରୀ କମିଟି ଗଠନ କରିଛନ୍ତି। ଉପରାଷ୍ଟ୍ରପତି ମହମ୍ମଦ ବିନ୍‌ ରଶିଦ ଅଲ୍‌ ମକ୍‌ତୋମ ଏହି ପଦକ୍ଷେପ ଦିଗରେ ପ୍ରତ୍ୟେକଙ୍କୁ କିଛି ପାଣ୍ଠି ଦେବାପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି କେରଳ ଏଯାବତ୍‌ ଆମ ସଫଳତାର ଏକ ଅଂଶବିଶେଷ ତେଣୁ ରାଜ୍ୟର ଏଭଳି ସ୍ଥିତିରେ ଆମେ ସହଯୋଗର ହାତ ବଢ଼ାଇବା। ଗଠନ ହୋଇଥିବା କମିଟି ୟୁଏଇରେ ଥିବା ଭାରତୀୟ ପରିବାରଙ୍କଠାରୁ ମଧ୍ୟ ପାଣ୍ଠି ସଂଗ୍ରହ କରିବ। ୟୁଏଇକୁ ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସିଂହ ସୁରି ମଧ୍ୟ ଏନେଇ ଆସନ୍ତାକାଲି ଏକ ଜରୁରୀ ବୈଠକ କରିବେ ବୋଲି କହିଛନ୍ତି।

ମାଛ ବିକି ପରିବାର ଚଳାଉଥିବା ଝିଅ ରିଲିଫ୍‌ ପାଣ୍ଠିକୁ ଦେଲେ ଦେଢ଼ ଲକ୍ଷ ଟଙ୍କା

କେରଳର ଜଣେ ୨୧ ବର୍ଷୀୟା କଲେଜ୍‌ ଛାତ୍ରୀ କେରଳର ଏଭଳି ବନ୍ୟା ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିକୁ ଦେଢ଼ଲକ୍ଷ ଟଙ୍କାର ପାଣ୍ଠି ଦେଇଛନ୍ତି। ଉକ୍ତ ଛାତ୍ରୀ ଜଣଙ୍କ ହେଉଛନ୍ତି ହନନ୍‌, ଯିଏ ମାଛ ବିକି ତାଙ୍କ ପରିବାର ଚଳାନ୍ତି। ନିକଟରେ ତାଙ୍କ ସଂଘର୍ଷ କାହାଣୀ ପାଇଁ ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲେ। ଅନେକ ତାଙ୍କୁ ସମାଲୋଚନା ମଧ୍ୟ କରିଥିଲେ। ତେବେ ହନନ୍‌ କହିଛନ୍ତି ତାଙ୍କ ସଂଘର୍ଷ ବିଷୟରେ ଜାଣିବାପରେ ଅନେକ ଲୋକ ତାଙ୍କୁ ଆର୍ଥିକ ସହାୟତା ଦେଇଥିଲେ । ସେ ସେହି ଟଙ୍କା ଏବେ ରିଲିଫ୍‌ ପାଣ୍ଠିକୁ ଦେଇଛନ୍ତି। ଅସହାୟ ଲୋକଙ୍କ ପାଇଁ ଏହି ଅର୍ଥ ଦେଇ ଖୁବ୍‌ ଖୁସି ବୋଲି ହନନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର