କେରଳ ବର୍ଷାଜନିତ ମୃତ୍ୟୁ ୩୫କୁ ବୃଦ୍ଧି: ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ୩ ମୃତ

ତିରୁଅନନ୍ତପୁରମ୍‌ : କେରଳରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଏଥିଜନିତ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବିପଦ ସଙ୍କେତ ଟପିଛି। ଫଳରେ ରାଜ୍ୟର ୧୧ଟି ଡ୍ୟାମ୍‌ ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ବର୍ଷା ଓ ବନ୍ୟା ଏଭଳି ହୋଇଛି ଯେ ବଡ଼ ବଡ଼ କୋଠା ଗୁଡ଼ିକ ତାସ ଘର ଭଳି ନଦୀ ଗର୍ଭରେ ଲୀନ ହେବାର ଦୃଶ୍ୟ ଦେଖିବାକୁ ମିଳିଛି। ଏର୍ନାକୁଲମ ଏବଂ ଇଡ଼ୁକ୍କିରେ ହାଇ ଆଲର୍ଟ ଜାରି ହୋଇଛି। ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟନ ଆଜି ଏକ ଜରୁରୀ ବୈଠକ କରିଛନ୍ତି ଏବଂ କିଛି ଡ୍ୟାମ୍‌ରୁ ଜଳ ନିଷ୍କାସନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଇଡ଼ୁକ୍କି ଜଳଭଣ୍ଡାର ପାଇଁ ଅରେଞ୍ଜ୍‌ ଆଲର୍ଟ ଜାରି ହୋଇଛି।

ରାଜ୍ୟରେ ପ୍ରଭାବିତ ଲୋକଙ୍କ ପାଇଁ ୨୪୭ ଶିବିର ଖୋଲା ଯାଇଛି। ଅକ୍ଟୋବର ୨୦-୨୨ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏକାଧିକ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଦଲାଇଲାମା କେରଳରେ ଏତେ ସଂଖ୍ୟକ ଜୀବନ ହାନି ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ କେରଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ କେରଳରେ ବନ୍ୟା ସ୍ଥିତିକୁ ଅତି ଭଲଭାବେ ସମୀକ୍ଷା କରୁଛନ୍ତି। କେନ୍ଦ୍ରଠାରୁ ସମସ୍ତ ପ୍ରକାର ସହାୟତା ଦିଆଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏନ୍‌ଡିଆରଏଫ୍‌ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ୧୧ ଟିମ୍‌ ମୁତୟନ କରିଛି। ଅନ୍ୟପକ୍ଷରେ କେରଳରେ ବର୍ଷା ଏବଂ ବନ୍ୟାରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ପିନାରାୟୀ ବିଜୟନ ସରକାର ସଠିକ୍‌ ସମୟରେ ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ୩ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ୍‌ ସ୍ଥିତ ଲାନ୍ସଡାଉନ୍‌ରେ ଆଜି ଏକ ଛାତ ଭୁଶୁଡ଼ି ପଡ଼ିବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। ଚାମୋଲି ଜିଲ୍ଲାରେ ବଦ୍ରିନାଥ ରାଜପଥ ବନ୍ଦ ହୋଇଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ରାଜ୍ୟରେ ବର୍ଷା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। କେଦାରନାଥ ମନ୍ଦିରରେ ରବିବାର ୬ ହଜାର ଭକ୍ତ ଥିଲେ। ସେମାନଙ୍ଗ ମଧ୍ୟରୁ ୪ ହଜାର ଲୋକ ଫେରି ଆସିଛନ୍ତି ଏବଂ ୨ ହଜାର ଲୋକ ସୁରକ୍ଷିତ ସ୍ଥାନରେ ରହିଛନ୍ତି। ଆଇଏମ୍‌ଡି ଉତ୍ତରାଖଣ୍ଡ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି। ଏହି ପାର୍ବତ୍ୟାଞ୍ଚଳ ରାଜ୍ୟରେ ଆଗାମୀ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ଆଇଏମ୍‌ଡି ଆକଳନ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ଉପରେ ରୋକ ଲାଗିଛି।

 

ସମ୍ବନ୍ଧିତ ଖବର