କେରଳର ସିରିୟଲ କିଲର୍‌ ଜଲି : ୧୪ ବର୍ଷରେ ୬ ହତ୍ୟା, ପରିବାର ସଦସ୍ୟଙ୍କୁ ସାଏନାଇଡ୍‌ ଦେଇ ମ‌ାରୁଥିଲା, ଝିଅମାନଙ୍କୁ ଘୃଣା କରୁଥିଲା

ଥିରୁବନନ୍ତପୁରମ୍‌ : କେରଳର କୋଝିକୋଡ଼ରେ ସମ୍ପତ୍ତିକୁ ନେଇ ଜଣେ ମହିଳା ପରିବାରର ୬ ସଦସ୍ୟଙ୍କୁ ଅତ୍ୟନ୍ତ ଯୋଜନାବଦ୍ଧ ହତ୍ୟା କରିବା ଘଟଣା ପ୍ରଘଟ ହେବାପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସିରିୟଲ କିଲର ଜଲି ଆମ୍ମା ଯୋଶେଫ୍‌ ୧୪ ବର୍ଷରେ ସ୍ବାମୀଙ୍କଠାରୁ ଆରମ୍ଭ କରି ଶାଶୂ, ଶ୍ବଶୂରଙ୍କ ସମେତ ମୋଟ ୬ ଜଣଙ୍କୁ ସେ ସାଇନାଏଡ ଦେଇ ମାରିଛି। ତାର ଟାର୍ଗେଟ୍‌ରେ ୨ ଜଣ ଶିଶୁ ମଧ୍ୟ ଥିଲେ। ସେମାନଙ୍କୁ ମଧ୍ୟ ସେ ସାଏନାଏଡ୍‌ ଦେଇ ମାରିବାକୁ ଚେଷ୍ଟା କରିଥିଲା। କିନ୍ତୁ ୨ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଲିର ସ୍ବାମୀ ରୟ ଥୋମାସ୍‌ଙ୍କ ମୃତ୍ୟୁର ୮ ବର୍ଷ ପରେ ପୁଲିସ ଗତ ୫ ତାରିଖରେ ଜଲି ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି। ଜଲି ଆଉ କେତେ ଜଣଙ୍କୁ ମଧ୍ୟ ହତ୍ୟା କରିବାକୁ ଯୋଜନା କରିଥିବା ତଦନ୍ତରୁ ଜଣାପଡ଼ିଛି। ଜଲି ସମସ୍ତଙ୍କୁ ଖାଦ୍ୟରେ ସାଇନାଏଡ୍‌ ଦେଇ ମାରିଥିବା ସ୍ବୀକାର କରିଛି।

ମାମଲାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଏମ୍‌ଏସ ମାଥ୍ୟୁ (୪୪) ଏବଂ ପ୍ରାଜୀ କୁମାର (୪୮) ଗିରଫ ହୋଇଛନ୍ତି। ମାଥ୍ୟୁ ଜଲିର ଜଣେ ଘନିଷ୍ଠ ସହଯୋଗୀ ଥିଲା। ପ୍ରାଜିକୁମାର ମାଥ୍ୟୁକୁ ସାଏନାଇଡ୍‌ ଯୋଗାଇ ଦେଉଥିଲା ଏବଂ ପରେ ମାଥ୍ୟୁ ଏହା ଜଲିକୁ ହସ୍ତାନ୍ତର କରୁଥିଲା। ଜଲିର ପ୍ରଥମ ସ୍ବାମୀ ରୟ ଥୋମାସ୍‌ଙ୍କ ଭାଇ ରଜୋ ଆମେରିକାରେ ରହୁଥିବା ବେଳେ ସେ ପରିବାରରେ ହେଉଥିବା ରହସ୍ୟଜନକ ମୃତ୍ୟୁ ନେଇ ପୁଲିସ‌ରେ ଅଭିଯୋଗ କରିଥିଲେ। ରଜୋଙ୍କ ଅଭିଯୋଗ ଆଧାରରେ ପୁଲିସ ଜଲିକୁ ଗିରଫ କରିଛି। ଉକ୍ତ ଘଟଣାର ଏବେ ଏସ୍‌ଆଇଟି ତଦନ୍ତ ଆରମ୍ଭ ହୋଇଯାଇଛି। ମାମଲା ବହୁତ ଜଟିଳ ଥିବାରୁ ଏସ୍‌ଆଇଟି ଏକ୍ଷେତ୍ରରେ ବିଦେଶୀ ଲ୍ୟାବ୍‌ର ସହଯୋଗ ନେଇପ‌ାରେ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଜଲି ୧୯୯୭ରେ ରୟ ଥୋମାସ୍‌ଙ୍କୁ ବିବାହ କରିଥିଲା। ଜଣେ ସମ୍ପର୍କୀୟଙ୍କ ଘରେ ଜଲିର ରୟଙ୍କ ସହ ଭେଟ ହୋଇଥିଲା। ‌ ଉଭୟ ପ୍ରେମ ବିବାହ କରିଥିଲେ। କିନ୍ତୁ ୨୦୦୨ ମସିହାରୁ ଜଲି ପରିବାରର ଜଣକ ପରେ ଜଣଙ୍କୁ ହତ୍ୟା କରିବା ଆରମ୍ଭ କରିଥିଲା। ପ୍ରଥମେ ୨୦୦୨ରେ ସେ ଶାଶୂ ଆନ୍ନାମ୍ମା ଥୋମାସ୍‌ଙ୍କୁ ସାଏନାଇଡ୍‌ ଦେଇ ମାରିଥିଲା। ଏହାର ୬ ବର୍ଷ ପରେ ଜଲି ଶ୍ବଶୂର ଟମ୍‌ ଥୋମାସ୍‌ଙ୍କର ବି ୨୦୦୮ରେ ମୃତ୍ୟୁ ହୋଇଥିଲା। ଜଲି ପ୍ରଥମ ସ୍ବାମୀ ରୟ ଥୋମାସ୍‌ଙ୍କୁ ୨୦୧୧ରେ ହତ୍ୟା କରିଥିଲା। ସେହି ବର୍ଷ ମଧ୍ୟ ସେ ତା’ର ସମ୍ପର୍କୀୟ ଆଲଫାଇନ୍‌ ଶାଜୁ ନାମକ ଏକ ଶିଶୁକୁ ସେ ମାରିଥିଲା। ଏହାର ୨ ବର୍ଷ ପରେ ଆଲଫାଇନ୍‌ ଶାଜୁର ମା’ ସିଲିଙ୍କୁ ‌ ପିଇବା ପାଣିରେ ସାଏନାଏଡ୍‌ ଦେଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସିଲି ମରିବା ପରେ ତା’ ସ୍ବାମୀ ଶାଜୁକୁ ଜଲି ବିବାହ କରିଥଲା। ତେବେ ସମ୍ପତ୍ତିକୁ ନେଇ ଜଲିର ପ୍ରଥମ ସ୍ବାମୀ ରୟ ଥୋମାସ୍‌ଙ୍କ ବଡ଼ ଭାଇ ରଜୋଙ୍କ ସହ ତା’ର ବିବାଦ ହେବାପରେ ଜଲିର ଅସଲ ଚେହେରା ସାମ୍ନାକୁ ଆସିଥିଲା। ରଜୋଙ୍କ ଅଭିଯୋଗ ଅନୁଯାୟୀ ଜଲି ଟମ୍‌ ଥୋମାସ୍‌ଙ୍କ ସମ୍ପତ୍ତି ଦଲିଲ୍‌ର ନକଲି କରି ନିଜକୁ ଏକମାତ୍ର ଉତ୍ତରାଧିକାରୀ ବୋଲି ଦର୍ଶାଇଥିଲା। ଆଲଫାଇନ୍‌ ଏବଂ ସିଲିଙ୍କ ରହସ୍ୟଜନକ ମୃତ୍ୟୁ ପରେ ରଜୋ ପୁଲିସରେ ମାମଲା ରୁଜୁ କରିଥିଲେ ଏବଂ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଲା। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଜଲି ଝିଅମାନଙ୍କୁ ଘୃଣା କରୁଥିଲା। ଏଥିପାଇଁ ସେ ତା’ ଝିଆରୀକୁ ହତ୍ୟା କରିଥିଲା ଏବଂ ନିଜେ ମଧ୍ୟ ଦୁଇ କନ୍ୟା ଭ୍ରୂଣ ହତ୍ୟା କରିଛି। ମାମଲାରେ ଜଲିର ଦ୍ବିତୀୟ ସ୍ବାମୀକୁ ମଧ୍ୟ ପୁଲିସ ଏବେ ଗିରଫ କରି ଜେରା କରୁଛି।

ସମ୍ବନ୍ଧିତ ଖବର