କେରଳରେ ପୁଣି ଚିହ୍ନଟ ହେଲା ନିପା ଭାଇରସ, ଶିକାର ହେଲେ ଇଞ୍ଜିନିୟରିଂ ଛାତ୍ର

କୋଚି: ଗତବର୍ଷ କେରଳରେ ନିପା ଭାଇରସ ଦେଖାଯିବା ପରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ପଶି ଯାଇଥିଲା । ଏହି ଭାଇରସ ପାଇଁ ଜଣେ ନର୍ସଙ୍କ ସମେତ କିଛି ଲୋକ ପ୍ରାଣ ହରାଇଥିଲା । ଏବେ ବର୍ଷେ ବ୍ୟବଧାନରେ ପୁଣି ଥରେ କେରଳର କୋଚିରେ ନିପା ଭାଇରାସ ଚିହ୍ନଟ କରାଯାଇଛି । ଜଣେ ୨୩ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଭୀଷଣ ଜ୍ୱର ହେବା ପରେ ତାଙ୍କୁ ଡ଼ାକ୍ତରଖାନା ଅଣା ଯାଇଥିଲା । ପରୀକ୍ଷା ପରେ ଏବେ ସେ ନିପା ଭାଇରସର ଶିକାର ହୋଇଥିବା କହିଛନ୍ତି ଡ଼ାକ୍ତର । ଏହା ସହ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ୨ନର୍ସ ଏବଂ ତାଙ୍କର ଦୁଇ ବନ୍ଧୁଙ୍କୁ ମଧ୍ୟ ଏହି ଭାଇରସ ସଂକ୍ରମଣ କରିଥିବା ସନ୍ଦେହ କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାର କୌଣସି ସ୍ଥାୟୀ ଚିକିତ୍ସା ବା ଟିକା ନଥିବାରୁ ଖବରଟି କେରଳବାସୀଙ୍କୁ ଚିନ୍ତାରେ ପକାଇଛି ।

HuffPost India

ସୂଚନା ମୁତାବକ, ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କର ରକ୍ତ ଦୁଇଟି ଭାଇରୋଲଜି ଇନ୍‌ଷ୍ଟିଚ୍ୟୁଟ୍‌କୁ ପରୀକ୍ଷା ପାଇଁ ପଠା ଯାଇଥିଲା । ପରୀକ୍ଷା ପରେ ଛାତ୍ରଜଣଙ୍କ ନିପା ଭାଇରସର ଶିକାର ହୋଇଥିବା ସାମ୍ନାକୁ ଆସିଥିଲା । ତେବେ ଏହି ଭାଇରସ ସହ ଲଢ଼ିବା ପାଇଁ କୌଣସି ଟିକା ନଥିଲେ ମଧ୍ୟ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ସୈଲଜାଙ୍କ କହିବା ଅନୁଯାୟୀ, ଏନ୍‌ଆଇବି ପୁଣେରେ ମାନବ ମୋପୋକ୍ଲୋନାଲ ଆଣ୍ଟିବଡିର ଭଣ୍ଡାର ରହିଛି । ଯାହା ନିପା ସହ ଲଢ଼ିବାକୁ ସକ୍ଷମ । ଦରକାର ପଡ଼ିଲେ ତାକୁ ଚିକିତ୍ସା କାର୍ଯ୍ୟରେ ଲଗାଯିବ । ଏବେର ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରୁଥିବାରୁ ଏ ପର୍ଯ୍ୟନ୍ତ ଆଣ୍ଟିବଡିକୁ ଅଣାଯାଇ ନାହିଁ । କୋଚିରେ ନିପା ଭାଇରସ ଚିହ୍ନଟ କରାଯିବା ପରେ ବିଭିନ୍ନ ଇନ୍‌ଷ୍ଟିଚ୍ୟୁଟ୍‌ରୁ ୪ଜଣିଆ ଟିମ୍‌ ଆସି କୋଚିରେ ପହଞ୍ଚିଛନ୍ତି । ତେବେ ଏହି ଭାଇରସକୁ ନେଇ ସୋସିଆଲ ମିଡିଆରେ କୌଣସି ଭୁଲ ସୂଚନା ନ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ସୈଲଜା ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର