କେରଳ: ହିନ୍ଦୁରୁ ଖ୍ରୀଷ୍ଟିଆନ ହୋଇଥିବା ପ୍ରଥମ ସାଧାରଣ ଲୋକକୁ ସନ୍ଥ ମର୍ଯ୍ୟାଦା ଦିଆଯିବ

ତିରୁଅନନ୍ତପୁରମ୍: ଅଷ୍ଟାଦଶ ଶତାବ୍ଦୀରେ ହିନ୍ଦୁରୁ ଖ୍ରୀଷ୍ଟିଆନ ହେବା ପରେ ନିର୍ଯାତନା ସହି ମୃତ୍ୟୁବରଣ କରିଥିବା କେରଳର ଦେବସହାୟମ୍ ପିଲାଇଙ୍କୁ କ୍ୟାଥଲିକ୍ ଚର୍ଚ୍ଚ ଆଗରୁ ସହିଦ ମାନ୍ୟତା ଦେଇଆସୁଥିଲା। କିନ୍ତୁ ଭାଟିକାନ ଦ୍ବାରା ୧୫ ମେ, ୨୦୨୨ରେ ତାଙ୍କୁ ସନ୍ଥ (ସେଣ୍ଟ) ମର୍ଯ୍ୟାଦା ଦିଆଯିବ ବୋଲି ଘୋଷଣା କରାଯାଇଛି। ସେ କୌଣସି ପାଦ୍ରି ବା ଧର୍ମଯାଜକ ନ ଥିଲେ। ଜଣେ ସାଧାରଣ ବ୍ୟକ୍ତି ଭାବେ ସନ୍ଥ ମର୍ଯ୍ୟାଦା ପାଇବାରେ ସେ ହେବେ ପ୍ରଥମ ବ୍ୟକ୍ତି।

ପିଲାଇଙ୍କ ମୂଳ ନାମ ହେଉଛି ନୀଳକନ୍ଦ ପିଲାଇ। ସେ ୨୩ ଏପ୍ରିଲ ୧୭୧୨ରେ ଜଣେ ସମ୍ଭ୍ରାନ୍ତ ହିନ୍ଦୁ ନାୟାର ପରିବାରରେ ମାର୍ଥାନ୍ଦମ୍ ନିକଟ ନଟ୍ଟଲମ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ଏହା ତତ୍କାଳୀନ ତିରୁବିଠଙ୍କୁର ରାଜ୍ୟର ଅନ୍ତର୍ଗତ ଥିଲା। ସେ ୧୭ ମେ, ୧୭୪୫ରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ପିଲାଇ ରାଜା ମାର୍ତ୍ତଣ୍ଡ ବର୍ମାଙ୍କ ରାଜପ୍ରାସାଦରେ ଜଣେ କର୍ମଚାରୀ ଥିବାରୁ ଅନେକ ଓଲନ୍ଦାଜ ଅଧିକାରୀଙ୍କ ସଂସ୍ପର୍ଶରେ ଆସୁଥିଲେ। ଡି ଲାନୟଙ୍କ ଘନିଷ୍ଠ ସଂସ୍ପର୍ଶରେ ଆସିବା ପରେ ସେ ଖ୍ରୀଷ୍ଟଧର୍ମକୁ ଆପଣେଇ ନେଇଥିଲେ। କିନ୍ତୁ ଧର୍ମାନ୍ତରିତ ହେବା ପରେ ରାଜାଙ୍କ ପ୍ରଶାସନ ପକ୍ଷରୁ ତାଙ୍କ ଉପରେ ବିଶ୍ବାସଘାତକତା, ରାଜଦ୍ରୋହ ଆଦି ଗୁରୁତର ଅଭିଯୋଗ ଅଣାଗଲା। ତାଙ୍କୁ ବନ୍ଦୀ କରି ଜେଲରେ ରଖାଗଲା। ତା’ପରେ କନ୍ୟାକୁମାରୀ ଜିଲ୍ଲା ଅନ୍ତର୍ଗତ ଆରାଲବୈମୋଜି ପାହାଡ଼ ଅଞ୍ଚଳରେ ନିର୍ବାସିତ କରାଯାଇ ଶେଷରେ ତାଙ୍କୁ ୧୪ ଜାନୁଆରି ୧୭୫୨ରେ ଗୁଳି କରି ହତ୍ୟା କରାଯାଇଥିବା ବିଶ୍ବାସ କରାଯାଏ।

ସମ୍ବନ୍ଧିତ ଖବର