ନୂଆଦିଲ୍ଲୀ: କେରଳ ଟ୍ରେନ୍ ଆକ୍ରମଣ ଘଟଣାରେ ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ରହିଛି। କେରଳର କୋଝିକୋଡ଼ରେ ଚଳନ୍ତା ଟ୍ରେନ୍ରେ ସହଯାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୁକ୍ତ ଶାହରୁଖ ସୈଫିର ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଏବଂ ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ଏହା ସ୍ପଷ୍ଟ କରିଛନ୍ତି। ଶାହରୁଖ ସୈଫି ହେଉଛି ଦିଲ୍ଲୀର ସାହିନ ବାଗ୍ ବାସିନ୍ଦା। ସେ କେରଳକୁ ଏକାକୀ ଯାତ୍ରା କରିନଥିଲା। ବରଂ ସମଗ୍ର ଟ୍ରେନ୍ ବଗିରେ ନିଆଁ ଲଗାଇ ଏକ ବଡ଼ ଧରଣର ଆକ୍ରମଣ କରିବାପାଇଁ ତାକୁ କେରଳ ଅଣାଯାଇଥିଲା। ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ଆତଙ୍କବାଦ ପ୍ରତି ଅନୁପ୍ରାଣିତ ହୋଇଥିଲା ଏବଂ ଏକ ବଡ଼ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଏହି ଅପରାଧ ଘଟାଇବାପାଇଁ ଉତ୍ସାହିତ ହୋଇଥିଲା। ଆକ୍ରମଣ ପାଇଁ କେରଳ ଓ ଆଲାପ୍ପୁଝା-କନ୍ନୁର ଏକଜିକ୍ୟୁଟିଭ ଏକ୍ସପ୍ରେସ ଟ୍ରେନ୍ ବାଛିବାର ଏକ ସ୍ବତନ୍ତ୍ର କାରଣ ରହିଛି। ପାଖରେ ହିନ୍ଦୁସ୍ତାନ ପେଟ୍ରୋଲିୟମର ଅଏଲ ଟ୍ୟାଙ୍କ ଥିବାରୁ ଏହି ଆକ୍ରମଣ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥାନ୍ତା।
ଉଲ୍ଲେଖଯୋଗ୍ୟ,ଏପ୍ରିଲ ୨ ତାରିଖରେ ଆଲାପ୍ପୁଝା-କନ୍ନୁର ଏକଜିକ୍ୟୁଟିଭ ଏକ୍ସପ୍ରେସ ଟ୍ରେନ୍ରେ ଏହି ଦୁର୍ଘଟଣା ହୋଇଥିଲା। ସୈଫି ଟ୍ରେନ୍ରେ ଚଢ଼ି ଅନ୍ୟ ଯାତ୍ରୀଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ପରେ ରେଳ ଧାରଣା ନିକଟରୁ ୩ ଜଣଙ୍କ ମୃତଦେହ ମିଳିଥିଲା। ସେମାନେ ନିଆଁ ଭୟରେ ଟ୍ରେନ୍ରୁ ଡେଇଁପଡ଼ିଥିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଅଭଯୁକ୍ତ ଶାହରୁଖ ସୈଫିକୁ ଏପ୍ରିଲ ୫ ତାରିଖରେ ମହାରାଷ୍ଟ୍ରର ରତ୍ନଗିରିରୁ ଗିରଫ କରାଗଲା।