କିନ୍ନରଙ୍କୁ ଉଲଗ୍ନ କରି ହାଜତରେ ରଖିଲା ପୋଲିସ୍‌; ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଆରମ୍ଭ ହେଲା ତଦନ୍ତ

ଥିରୁବନ୍ତପୁରମ୍‌: କେରଳର ଜନୈକ କିନ୍ନରଙ୍କୁ ପୋଲିସ ରାତିଅଧରେ ଥିନାକୁ ଧରିନେଇ ତାଙ୍କୁ ଉଲଗ୍ନ କରିବା ଏବଂ ନଗ୍ନ ଅବସ୍ଥାର ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ଘଟଣାକୁ କେନ୍ଦ୍ର କରି ଏବେ ସମଗ୍ର କେରଳରେ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ନୂତନ ଭାବେ ଗଠିତ ରାଜ୍ୟ କିନ୍ନର ନ୍ୟାୟିକ ବୋର୍ଡ ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ପୋଲିସ୍‌ କର୍ମଚାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି।

କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ସେମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଜନୈକ ସମାଜକର୍ମୀ ଅଭିଯୋଗ କରି କହିଛନ୍ତି ଯେ ଗତ ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ଆଲାପୁଝା ପୋଲିସ ଥାନାର କେତେକ ଅଧିକାରୀ ସଂପୃକ୍ତ କିନ୍ନରକୁ ଥାନାକୁ ଧରିନେବା ସହ ସେ ପରିଧାନ କରିଥିବା ବସ୍ତ୍ର ସବୁକୁ ଖୋଲି ତାକୁ ଉଲଗ୍ନ କରି ଥାନା ହାଜତ ଭିତରେ ପୂରାଇ ଦେଇଥିଲେ। ପରେ ସେମାନେ ସଂପୃକ୍ତ କିନ୍ନରର ନଗ୍ନ ଫଟୋ ଓ ଭିଡିଓ ପ୍ରସ୍ତୁତ କରି ତାକୁ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରି ଦେଇଥିଲେ। ପରେ ଫଟୋ ଓ ଭିଡିଓ ଭାଇରାଲ ହୋଇଯିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।

ଏହି ଘଟଣାକୁ କେନ୍ଦ୍ରକରି ଅଡ଼ୁଆ ପରିସ୍ଥିତିରେ ପଡ଼ି ଯାଇଥିବା ଆଲାପୁଝା ଥାନା କର୍ତ୍ତୃପକ୍ଷ କହିଛନ୍ତି ଯେ ଗୁରୁବାର ବିଳମ୍ବିତ ରାତ୍ରିରେ ସଂପୃକ୍ତ କିନ୍ନରଟି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବା ପରେ ରାତି ପାଟ୍ରୋଲିଂ ଦାୟିତ୍ୱରେ ଥିବା ଅଧିକାରୀମାନେ ତାକୁ ଥାନାକୁ ଧରି ଆଣିଥିଲେ। ତେବେ, କାଳେ ସେ ପିନ୍ଧିଥିବା ଲୁଗା ସାହାଯ୍ୟରେ ହାଜତ ଭିତରେ ଆତ୍ମହତ୍ୟା କରିଦେବ, ସେଇ ଆଶଙ୍କାରେ ଥାନା କର୍ତ୍ତୃପକ୍ଷ ତା’ ଲୁଗା ଖୋଲି ତାକୁ ହାଜତ ମଧ୍ୟରେ ରଖିଥିଲେ। ଅନ୍ୟ ପକ୍ଷରେ ଅଲାପୁଝା ପୋଲିସ୍‌ ଏସ୍‌ପି ଏ ସୁରେନ୍ଦ୍ରନ୍‌ କହିଛନ୍ତି ଯେ ଏଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଛି। ରିପୋର୍ଟ ମିଳିବା ପରେ ଦୋଷୀ ପୋଲିସ୍‌ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର