ତିରୁବନନ୍ତପୁରମ୍: କେରଳର ୯ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଇସ୍ତଫା ଦେବା ପାଇଁ ରାଜ୍ୟପାଳ ଦେଇଥିବା ଆଦେଶକୁ ବିରୋଧ କରି କୁଳପତିମାନେ ଦାଏର କରିଥିବା ପିଟିସନ୍ର ଶୁଣାଣି ପାଇଁ ଆଜି ଅପରାହ୍ଣ ୪ଟା ବେଳେ କେରଳ ହାଇକୋର୍ଟ ‘ସ୍ପେସାଲ୍ ସିଟିଙ୍ଗ୍’ ବ୍ୟବସ୍ଥା କରିଛନ୍ତି।
ରାଜ୍ୟର ୯ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଇସ୍ତଫା ଦେବାକୁ ଆଦେଶ ଦେଇଥିବା ରାଜ୍ୟପାଳ ଆରିଫ୍ ଏମ୍. ଖାଁଙ୍କୁ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ତୀବ୍ର ସମାଲୋଚନା କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ ବିବୃତି ଦେଇ ସେ କହିଛନ୍ତି, ପ୍ରାପ୍ତ କ୍ଷମତାଠାରୁ ଅଧିକ କ୍ଷମତା ପ୍ରୟୋଗ କରି ରାଜ୍ୟପାଳ କୁଳାଧିପତି ପଦବୀର ଅପବ୍ୟବହାର କରୁଛନ୍ତି। ଏହା ଅଗଣତାନ୍ତ୍ରିକ ଏବଂ କୁଳପତିମାନଙ୍କ କ୍ଷମତା କ୍ଷେତ୍ରରେ ଅନଧିକାର ପ୍ରବେଶ। ରାଜ୍ୟପାଳ ପଦବୀ ସରକାରଙ୍କର ବିରୁଦ୍ଧାଚରଣ ନ କରି ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା କଥା। ସେ ‘ଆର୍ଏସ୍ଏସ୍’ର ହାତ-ବାରିସି ଭଳି କାମ କରୁଛନ୍ତି।
/sambad/media/post_attachments/wp-content/uploads/2022/10/kg.jpg)
ଉଲ୍ଲେଖଯୋଗ୍ୟ, ସୋମବାର ୧୧.୩୦ ସୁଦ୍ଧା ଇସ୍ତଫା ଦେବା ପାଇଁ ରବିବାର ଦିନ କେରଳର ରାଜ୍ୟପାଳ ଅରିଫ୍ ମହମ୍ମଦ୍ ଖାଁ ୯ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଆଦେଶ ଦେଇଥିଲେ। ସେ ବିଶ୍ବବିଦ୍ୟାଳୟଗୁଡ଼ିକ ହେଉଛି: କାଲିକଟ୍, ସାଂସ୍କ୍ରିଟ୍, କେଟିୟୁ, କୁସାଟ୍, ଫିସେରିଜ୍, ମାଲୟାଲମ୍, ଏମ୍.ଜି., କନ୍ନୁର, ଏବଂ ମେଡିକାଲ୍ ୟୁନିଭର୍ସିଟି।
କେରଳ ରାଜଭବନର ଜନସମ୍ପର୍କ ଅଧିକାରୀ ଟୁଇଟ୍ କରିଥିଲେ ଯେ, ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁଯାୟୀ ରାଜ୍ୟପାଳ ଅରିଫ୍ ମହମ୍ମଦ୍ ଖାଁ କେରଳର ୯ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦେଶ ଦେଇଛନ୍ତି।
କିନ୍ତୁ, ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଇସ୍ତଫା ନ ଦେବାକୁ କହିଥିଲେ।