କେରଳ ଭିଜିଲାନ୍ସ ଡି‌ଏସ୍‌ପିଙ୍କ ସ୍ତ୍ରୀ ଗିରଫ

ଠକେଇ ଆଦି ଅଭିଯୋଗରେ ୯ ମାମଲା ରୁଜୁ

ତିରୁଅନନ୍ତପୁରମ୍: ଆର୍ଥିକ ଜାଲିଆତି ଓ ଠକେଇ ଅଭିଯୋଗରେ କେରଳ ଭିଜିଲାନ୍ସ ଡିଏସ୍‌ପି ସୁରେଶ କୁମାରଙ୍କ ପତ୍ନୀ ନସରତଙ୍କୁ ମଲପୁରମ୍ ପୁଲିସ ସୋମବାର ଗିରଫ କରିଛି। ସୁରେଶ କୁମାର ହେଉଛନ୍ତି ଥ୍ରିସୁର କୋଅପରେଟିଭ୍ ଭିଜିଲାନ୍ସ ଡିଏସ୍‌ପି। ତାଙ୍କ ପତ୍ନୀଙ୍କ ନାମରେ ୯ଟି ମାମଲା ରୁଜୁ କରାଯାଇଛି। ରିପୋର୍ଟ ଅନୁସାରେ, ରେଳବାଇରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ନସରତ ୪.୮୫ ଲକ୍ଷ ଟଙ୍କା ହଡ଼ପ କରିଥିବା ମଲପୁରମ୍‌ର ଜନୈକ ବ୍ୟକ୍ତି ଥାନାରେ ମାମଲା ରୁଜୁ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

୨୦୨୨ ମସିହାରେ ନସରତ ପ୍ରାୟ ୫୦ ଲକ୍ଷ ଟଙ୍କାର ଟଙ୍କା ଓ ସୁନା ଲୁଟିଥିବା ନେଇ ବିଭିନ୍ନ ଅଭିଯୋଗ ରହିଛି। ନିଜକୁ ଓକିଲ ପରିଚୟ ଦେଇ ବିଭିନ୍ନ ବାହାରେ ସେ ଲୋକଙ୍କଠାରୁ ଟଙ୍କା ଓ ସୁନା ଲୁଟିଥିବା ଅଭିଯୋଗକାରୀମାନେ କହିଛନ୍ତି। ଥ୍ରିସୁରର ଚେରପୁସ୍ଥିତ ବାସଭବନରୁ ୩୬ ବର୍ଷୀୟା ନସରତଙ୍କୁ ଗିରଫ କରାଯାଇଛି। ମଲପୁରମ୍, ପାଲାକାଡ, ଥ୍ରିସୁର ଓ କୋଲମରେ ନସରତଙ୍କ ନାଁରେ ୯ଟି ମାମଲା ରୁଜୁ ହୋଇଛି। ଆର୍ଥିକ ଅନିୟମିତତା, ଜାଲିଆତି, ଚାକିରି କରାଇଦେବା ଆଦି ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଟଙ୍କା ହଡ଼ପ କରିବା ଏବଂ ନିଜକୁ ଜଣେ ଓକିଲର ମିଥ୍ୟା ପରିଚୟ ଦେବା ଇତ୍ୟାଦି ବିଭିନ୍ନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଜଣେ ଡିଏସ୍‌ପିଙ୍କ ସ୍ତ୍ରୀ ହୋଇଥିବାରୁ ଲୋକେ ତାଙ୍କ କଥାରେ ବିଶ୍ବାସ କରୁଥିଲେ ମଧ୍ୟ ସେ କଥାରେ ଖିଲାପ କରୁଥିଲେ। ଏକ ସୁନା ଚୋରି ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି।

ଠକାମିର ଶିକାର ହୋଇଥିବା ଲୋକମାନେ ନସରତଙ୍କ ନାଁରେ ବିଭିନ୍ନ ମାମଲା ରୁଜୁ କରିବା ସହ କେରଳ ମୁଖ୍ୟମନ୍ତ୍ରୀ, ଡିଜିପି ଓ ମଲପୁରମ୍ ଏସ୍‌ପିଙ୍କ ଆଗରେ ଲିଖିତ ଅଭିଯୋଗ କରିଛନ୍ତି। ସୁରେଶ ବାବୁ ତିରୁରର ଡିଏସ୍‌ପି ଥିବା ବେଳେ ମାତ୍ର ୯ ମାସ ତଳେ ନସରତଙ୍କ ସହ ତାଙ୍କର ବିବାହ ହୋଇଥିଲା।

ସମ୍ବନ୍ଧିତ ଖବର