ପରକୀୟା ପ୍ରେମରେ ପଡ଼ି ସ୍ୱାମୀଙ୍କୁ ସାଏନାଇଡ୍ ଦେଇ ହତ୍ୟା କରିବା ମହଙ୍ଗା ପଡ଼ିଲା: ପ୍ରେମିକ ସହ ୨୨ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେଲେ ମାଲାୟାଲୀ ମହିଳା
ମେଲବୋର୍ଣ୍ଣ (ଅଷ୍ଟ୍ରେଲିଆ): ସୁଦୂର ଅଷ୍ଟ୍ରେଲିଆରେ କେରଳର ଜନୈକା ମାଲାୟାଲୀ ମହିଳା ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗର ବିଚାର କରି ଏକ ଅଷ୍ଟ୍ରେଲୀୟ କୋର୍ଟ ଗତ ବୁଧବାର ଦିନ ସଂପୃକ୍ତା ମହିଳା ଓ ତାଙ୍କ ପ୍ରେମିକକୁ ୨୨ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଅଭିଯୁକ୍ତା ମହିଳା ଓ ତାଙ୍କ ପ୍ରେମିକ ସହ ମିଶି ବିଶ୍ୱାସରେ ବିଷ ଦେବା ପରି, ଯେଉଁ ଢ଼ଙ୍ଗରେ ଖାଦ୍ୟରେ ମାରାତ୍ମକ ସାଏନାଇଡ୍ ପରି ବିଷ ମିଶାଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ତାହାକୁ ଦୃଷ୍ଟିରେ ରଖି ଅଭିଯୁକ୍ତମାନଙ୍କ ପ୍ରତି କୌଣସି ପ୍ରକାରର ସମବେଦନା ଦେଖାଯାଇ ପାରିବ ନାହିଁ।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କେରଳର ଜନୈକା ମହିଳା ସୋଫିଆ (୩୩), ସାମ୍ (୩୪) ନାମକ ଜନୈକ ଯୁବକଙ୍କୁ ବିବାହ କରିଥିଲେ। ତେବେ, ସାମ୍ ମେଲବୋର୍ଣ୍ଣ ସ୍ଥିତ ୟୁଏଇରେ ଚାକିରି କରୁଥିଲେ। ଫଳରେ ବିବାହ ପରେ ଉଭୟ ସୋଫିଆ ଓ ସାମ୍ ଯାଇ ମେଲବୋର୍ଣ୍ଣରେ ଅବସ୍ଥାନ କରୁଥିଲେ। ତେବେ, ମେଲବୋର୍ଣ୍ଣରେ ଅବସ୍ଥାନ କାଳରେ ସୋଫିଆଙ୍କର ଅରୁଣ (୩୬) ନାମକ ସେଠାରେ ରହୁଥିବା ଅନ୍ୟଜଣେ ଭାରତୀୟ ଯୁବକଙ୍କ ସହ ପରକୀୟା ପ୍ରେମ ଆରମ୍ଭ ହୋଇଯାଇଥିଲା। ପରେ ସୋଫିଆ ଓ ଅରୁଣ ସେମାନଙ୍କ ରାସ୍ତାରୁ ସାମ୍ଙ୍କୁ ସବୁଦିନ ପାଇଁ ହଟାଇ ଦେବାପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ଅରୁଣ ସାଏନାଇଡ୍ ଆଣି ସୋଫିଆଙ୍କୁ ଦେଇଥିଲେ। ଏବଂ ସୋଫିଆ ପ୍ରତ୍ୟେକ ଦିନ କମଳା ଜୁସ୍ରେ ସେଇ ସାଏନାଇଡ୍ରୁ କିଛିକିଛି ମିଶାଇ ସାମ୍ଙ୍କୁ ପିଇବାକୁ ଦେଉଥିଲେ। କ୍ରମାଗତ ଭାବେ କିଛି ମାସ ଧରି ସାଏନାଇଡ୍ ମିଶ୍ରିତ କମଳା ଜୁସ୍ ପିଇବା ପରେ ଅବଶେଷରେ ୨୦୧୫ ଅକ୍ଟୋବର ୧୩ ତାରିଖରେ ସାମ୍ଙ୍କର ପରଲୋକ ହୋଇଯାଇଥିଲା। ସାମ୍ଙ୍କର ମୁତ୍ୟୁପରେ ସୋଫିଆ ସେଠାରେ ଥିବା ତାଙ୍କର ନିକଟ ସଂପର୍କୀୟମାନଙ୍କୁ ଡକାଇବା ସହ ହୃଦାଘାତରେ ସାମ୍ଙ୍କର ମୁତ୍ୟୁ ଘଟିଛି ବୋଲି କହିଥିଲେ। ପରେ ସାମ୍ଙ୍କର ମୃତ ଶରୀରକୁ କେରଳ ଆଣିବା ସହ ଶେଷକୃତ୍ୟ ସଂପନ୍ନ କରିଥିଲେ।
ସାମ୍ଙ୍କର ଶେଷକୃତ୍ୟ ସଂପନ୍ନ କରିବାର କିଛି ଦିନପରେ ସୋଫିଆ ପୁଣିଥରେ ମେଲବୋର୍ଣ୍ଣ ପଳାଇଯାଇ ସେଠାରେ ଅରୁଣ ସହ ଏକତ୍ର ବସବାସ କରିବାକୁ ଲାଗିଥିଲେ। ଏଘଟଣା ଦେଖିବା ପରେ ସାମ୍ଙ୍କର ବନ୍ଧୁମାନଙ୍କର ସୋଫିଆ ଓ ଅରୁଣଙ୍କ ଉପରେ ସନ୍ଦେହ ହୋଇଥିଲା। ସେମାନେ ମେଲବୋର୍ଣ୍ଣ ପୁଲିସ୍ ନିକଟରେ ଏମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମେଲବୋର୍ଣ୍ଣ ପୁଲିସ୍ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରି ସାମ୍ ମୁତ୍ୟୁ ରହସ୍ୟର ଉନ୍ମୋଚନ କରିବା ସହ ସାମ୍ ହତ୍ୟା ଅପରାଧରେ ସୋଫିଆ ଓ ଅରୁଣକୁ ଅଗଷ୍ଟ ୨୦୧୬ରେ ଗରଫ କରିଥିଲା।