ଅନ୍‌ଲାଇନ୍‌ରେ ମଗାଇଥିବା ବିରିୟାନୀ ଖାଇ ୨୦ ବର୍ଷୀୟ ଯୁବତୀ ମୃତ; ତଦନ୍ତ ପାଇଁ ଆଦେଶ ଦେଲେ ମନ୍ତ୍ରୀ

କାସରଗୋଡ଼: କେରଳର କାସରଗୋଡ଼ ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନୀୟ ହୋଟେଲ୍‌ରୁ ‘କୁଜିମାନ୍ତି’ ବା ଦମ୍‌ ବିରିୟାନୀ ଖାଇବା ଯୋଗୁଁ ଖାଦ୍ୟ ବିଷକ୍ରିୟାକରଣ ହୋଇ ଜଣେ ୨୦ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି।

ପୁଲିସ କହିବା ଅନୁସାରେ, କାସରଗୋଡ଼ ନିକଟ ପେରୁମ୍ବାଲାର ଅଞ୍ଜୁ ଶ୍ରୀପାର୍ବତୀ ଡିସେମ୍ବର ୩୧ ତାରିଖ ଦିନ କାସରଗୋଡ଼ର ଉଡୁମାସ୍ଥିତ ‘ରୋମାନ୍‌ସିଆ’ ନାମକ ରେସ୍ତୋରାଁରୁ ଅନ୍‌ଲାଇନ୍‌ରେ ‘କୁଜିମାନ୍ତି’ (ଦମ୍‌ ବିରିୟାନୀ) କିଣି ଖାଇଥିଲେ। ତାହାକୁ ଖାଇବା ପରେ ଅସୁସ୍ଥ ହୋଇ ଅଞ୍ଜୁ ସେବେଠାରୁ ଚିକିତ୍ସାଧୀନା ଥିଲେ। ଅଞ୍ଜୁଙ୍କ ସହିତ ଉକ୍ତ ବିରିୟାନୀ ଖାଇଥିବା ବାନ୍ଧବୀମାନେ ବି ଅସୁସ୍ଥତା ଅନୁଭବ କରିଥିଲେ ବୋଲି କୁହାଯାଉଛି।

ପ୍ରଥମେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ସେଠାରୁ ତାଙ୍କୁ କର୍ଣ୍ଣାଟକର ମାଙ୍ଗାଲୁରୁସ୍ଥିତ ଆଉ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

Image Courtesy of Kerala Kaumudi

ଗଣମାଧ୍ୟମକୁ ପୁଲିସ କହିଛି, ଝିଅର ପିତାମାତା ଅଭିଯୋଗ ଦାଏର କରିବା ପରେ ମାମଲା ରୁଜୁ କରାଯାଇଛି। ଶନିବାର ପ୍ରତ୍ୟୁଷରେ ଝିଅଟିର ମୃତ୍ୟୁ ହୋଇଯାଇଛି। ‘ଫୋରେନ୍‌ସିକ୍‌’ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ପତନମ୍‌ତିତ୍ତରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଘଟଣା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ‘ଫୁଡ୍‌ ସେଫ୍‌ଟି କମିସନର୍‌’ଙ୍କୁ ନିର୍ଦେଶ ଜାରି କରାଯାଇଛି। ଘଟଣା ଓ ଝିଅର ଚିକିତ୍ସା ଉପରେ ବି ଜିଲ୍ଲା ମେଡିକାଲ୍‌ ଅଧିକାରୀ ତଦନ୍ତ କରୁଛନ୍ତି।

‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ‌ଷ୍ଟାଣ୍ଡାର୍ଡ’ ଅନୁଯାୟୀ ଖାଦ୍ୟ ବିଷକ୍ରିୟାକରଣ‌ ମାମଲାରେ ଅଭିଯୁକ୍ତ ହୋଟେଲ୍‌ଗୁଡ଼ିକର ଲାଇସେନ୍‌ସ୍‌ ରଦ୍ଦ କରାଯିବ।

ସୂଚନାଯୋଗ୍ୟ, ଚଳିତ ସପ୍ତାହ ପ୍ରାରମ୍ଭରେ କ‌ୋଜିକୋଡ଼ରେ ଥିବା ଗୋଟାଏ ଭୋଜନାଳୟରୁ ଖାଦ୍ୟ ଖାଇବା ପରେ କୋଟ୍ଟାୟାମ୍‌ ମେଡିକାଲ୍‌ କଲେଜର ଜଣେ ନର୍ସଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର