ତିରୁଅନନ୍ତପୁରମ: କେରଳ ଯୁବ କଂଗ୍ରେସର ନେତା ତଥା ସାମାଜିକ କର୍ମୀ ଶୁକ୍ରବାର କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ସରକାରୀ ବାସଭବନ ବାହାରେ ଆନ୍ଦୋଳନ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗରେ ବ୍ୟାପକ ଅବହେଳା ଓ କୁପରିଚାଳନା ଅଭିଯୋଗ କରି ସେମାନେ କଳା ପତାକା ଦେଖାଇ ଓ ସ୍ଲୋଗାନ ଦେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଆନ୍ଦୋଳନ ତୀବ୍ର ହେବା ଫଳରେ ପୁଲିସ କେରଳ ଯୁବ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାପାଇଁ ୱାଟର କ୍ୟାନନ୍‌ ମୁତୟନ କରିଛି। 

Advertisment

ଉଲ୍ଲେଖଯୋଗ୍ୟ, ନିକଟରେ ବିସମୀର ନାମକ ଜଣେ ବ୍ୟକ୍ତିଙ୍କର ବିଲାପ୍ପିଲସାଲା ସରକାରୀ ହସ୍ପିଟାଲରେ ଚିକିତ୍ସା ବିନା ମୃତ୍ୟୁ ହେବା ଫଳରେ ଲୋକ ତାତିଛନ୍ତି। କଂଗ୍ରେସ କର୍ମୀମାନେ ଏହି ଘଟଣାକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ପୂର୍ବରୁ ମଧ୍ୟ କୋଟ୍ଟାୟମ ମେଡିକାଲ କଲେଜ କୋଠା ଭୁଶୁଡ଼ିବା ଫଳରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହାପରେ ଯୁବ କଂଗ୍ରେସ ପକ୍ଷରୁ ଜର୍ଜଙ୍କ ଇସ୍ତଫା ଦାବି କରାଯାଇଥିଲା ଏବଂ ଏଥିସହ ଘଟଣାରେ ନ୍ୟାୟିକ ତଦନ୍ତ ଦାବି ହୋଇଥିଲା।