ଥିରୁବନନ୍ତପୁରମ୍‌: କେରଳକୁ ଏବେ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ଟାର୍ଗେଟ୍‌ କରିଛି। ଆଇଏସ୍‌ ଗୋଷ୍ଠୀରେ ଯୋଗଦେବାପାଇଁ କେରଳରୁ ମହିଳା ଏବଂ ଶିଶୁଙ୍କ ସମେତ ଅନେକ ଯୁବକ ଦେଶ ଛାଡ଼ି ଦେଉଛନ୍ତି। ଦୁଇବର୍ଷ ପୂର୍ବେ ଉତ୍ତର କେରଳରୁ ୨୧ ଜଣ ବ୍ୟକ୍ତି ଅତି ରହସ୍ୟଜନକ ଭାବେ ଅଦୃଶ୍ୟ ହୋଇଯିବା ଘଟଣା ପରେ ଏବେ ପୁଣି ୧୦ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନେ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଏହି ୧୦ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି। ସେମାନେ ୟୁଏଇ ଦେଇ ଏବେ ଆଫଗାନିସ୍ତାନ‌ରେ ପହଞ୍ଚି ସାରିଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ବ୍ୟକ୍ତିମାନେ ଉତ୍ତର କେରଳର କନ୍ନୁର ଜିଲ୍ଲାର ବୋଲି ଜଣାପଡ଼ିଛି। ପୂର୍ବ ମାମଲା ଗୁଡ଼ିକର ତଦନ୍ତ କରୁଥିବା କନ୍ନୁର ଡିଏସ୍‌ପି ପିପି ସଦାନନ୍ଦନଙ୍କ କହିବାନୁଯାୟୀ ପୂର୍ବରୁ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।

Advertisment

ଉଲ୍ଲେଖଯୋଗ୍ୟ, ଆଇଏସ୍‌ ପାଇଁ ଲଢ଼ି ସିରିଆରେ ପ୍ରାଣ ହରାଇଥିବା ଜଣେ କେରଳ ଯୁବକ ପିଭି ସମୀରଙ୍କ ସମ୍ପର୍କୀୟ ମଧ୍ୟ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀରେ ଯୋଗଦେଇଥିବା ଜଣାପଡ଼ିଛି। ସମୀର ତାଙ୍କ ପତ୍ନୀ ଏବଂ ୩ ପିଲାଙ୍କୁ ଛାଡ଼ି ୨୦୧୫ରେ ଆଇଏସ୍‌‌ରେ ଯୋଗଦେଇଥିଲେ। ୨୦୧୬ରେ ଦେଶ ଛାଡ଼ିଦେଇଥିବା ୨୧ ଜଣ ଯୁବକଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇସାରିଥିବା ପୁଲିସ୍‌କୁ ସୂଚନା ମିଳିଛି।