ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ସମସ୍ତ ୨୫ ଜଣ ବିଚାରପତି କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ। ତେବେ ସମସ୍ତେ ୨୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବେ। ଏ ନେଇ ପ୍ରଧାନ ବିଚାରପତି ଦୀପକ ମିଶ୍ର ଆଜି ଘୋଷଣା କରିଛନ୍ତି। ଏ ନେଇ ସେ କହିଛନ୍ତି, ରାଜ୍ୟବାସୀଙ୍କୁ ଏଭଳି ସମସ୍ୟାରୁ ମୁକାଳିବା ପାଇଁ ଆମେ ଆର୍ଥିକ ସହାୟତା ଦେବୁ।
କୋଚି,୨୦/୮: କେରଳରେ ପ୍ରଳୟଙ୍କରୀ ବର୍ଷା ଓ ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ବାସହରା ହୋଇପଡ଼ିଛନ୍ତି। ୨୦,୦୦୦ରୁ ଊର୍ଧ୍ୱ ବାସଗୃହ ପ୍ରଖର ଜଳସ୍ରୋତରେ ଭାସିଯାଇ ନଷ୍ଟ ହୋଇଯାଇଛି। ୪୦ ଲୋକ ନିଖୋଜ ହୋଇଛନ୍ତି। ଶହ ଶହ ଲୋକ ଜୀବନ ହରାଇଛନ୍ତି। ଶତାବ୍ଦୀର ସବୁଠୁ ଭୟଙ୍କର ବର୍ଷା ଓ ବନ୍ୟାରେ ରାଜ୍ୟବାସୀ ନାକେଦମ୍ ହୋଇଯାଇଛନ୍ତି। ବନ୍ୟାରେ ନିଜ ଲୋକଙ୍କୁ ହରାଇଥିବା ଲୋକେ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଅନ୍ୟପକ୍ଷରେ ରିଲିଫ ଶିବିରରେ ଥିବା ଲୋକଙ୍କଠାରେ ଏବେ ସଂକ୍ରମଣଜନିତ ମହାମାରୀ ବ୍ୟାପିବା ଆଶଙ୍କା ଦେଖାଦେଇଛି। ୧୦ରୁ ଅଧିକ ଲୋକଙ୍କଠାରେ ହାଡ଼ଫୁଟି ହେବା ଯୋଗୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି। ଆହୁରି ଅନେକ ଲୋକଙ୍କଠାରେ ମଧ୍ୟ ସଂକ୍ରମଣ ହେବା ଆଶଙ୍କା ରହିଥିବାରୁ ରାଜ୍ୟବ୍ୟାପୀ ୩,୦୦୦ରୁ ଅଧିକ ଚିକିତ୍ସା ଶିବିର ସ୍ଥାପନ କରାଯାଇଛି। ମୁମ୍ବାଇ ଓ ପୁନେରୁ ଆଜି ୮୧ ଜଣିଆ ମେଡିକାଲ୍ ଟିମ୍ ରାଜ୍ୟ ଗସ୍ତ କରିଛନ୍ତି। ଏବେ ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ରିଲିଫ ଶିବିରକୁ ଅଣାଯାଇଛି। ୯୦% ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦେଶବିଦେଶର ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାଠାରୁ ଆରମ୍ଭକରି ବ୍ୟକ୍ତିବିଶେଷ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଛଛନ୍ତି। ବିଭିନ୍ନ ରାଜ୍ୟ ସରକାରମାନଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଏବଂ ପଲିଥିନ୍ ଓ ଖାଦ୍ୟ ପୁଡ଼ିଆ ଯୋଗାଇ ଦିଆଯାଉଛି।
ଘରକୁ ଫେରୁଛନ୍ତି ଲୋକେ
କେରଳରେ ଏବେ ବର୍ଷା କମିଥିବାବେଳେ କିଛି ଅଂଶରେ ବନ୍ୟା ଜଳ କମିଛି। ଅନେକ ଦିନ ହେବ ଆଶ୍ରୟସ୍ଥଳରେ ରହିଥିବା ଲୋକ ଏବେ ଘରକୁ ଫେରୁଛନ୍ତି। ତେବେ ଘରକୁ ଫେରିବା ପରେ ନିଜ ଘରର ଅବସ୍ଥାକୁ ଦେଖି ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି ଅନେକ ଲୋକ। ବନ୍ୟା ହେତୁ ଯେତେସବୁ କ୍ଷୟକ୍ଷତି ହୋଇଛି ସେସବୁକୁ ମରାମତିି ପାଇଁ ବି ଟଙ୍କା ନାହିଁ। ଚାଲାକୁଡ଼ିର ଜଣେ ବାସିନ୍ଦା ସୁରେଶ ଜନ୍ ଏବଂ ତାଙ୍କ ପରିବାର ସଦସ୍ୟ ଏବେ ଆଶ୍ରୟସ୍ଥଳରୁ ଘରକୁ ଫେରିଛନ୍ତି। ଘରେ ୧୦ ଫୁଟ୍ ଉପରେ ପାଣି ଠିଆ ହୋଇଥିବାରୁ ସେମାନେ ଆଶ୍ରୟସ୍ଥଳକୁ ଫେରି ଯାଇଥିଲେ। ଏବେ ଘରକୁ ଦେଖିବାପରେ ସୁରେଶ୍ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କହିଛନ୍ତି ସବୁ କିଛି ନଷ୍ଟ ହୋଇଯାଇଛି। ପୁଣିଥରେ ସବୁକିଛି ନିର୍ମାଣ ପାଇଁ ଅନେକ ଦିନ ଲାଗିଯିବ କିନ୍ତୁ ଏତେସବୁ ପାଇଁ ପାଖରେ ଅର୍ଥ ନାହିଁ।
ପଶୁପକ୍ଷୀଙ୍କୁ ବି ଉଦ୍ଧାର କରାଯାଉଛି
ବନ୍ୟାଗ୍ରସ୍ତ କେରଳରେ ଏବେ ୧୦ ଲକ୍ଷ ଲୋକ ଆଶ୍ରୟସ୍ଥଳରେ ଆଶ୍ରୟ ନେଉଛନ୍ତି। ପରିସ୍ଥିତି ଏତେ ଉଦ୍ବେଗଜନକ ହୋଇପଡ଼ିଛି ଯେ ଅନେକ କ୍ଷେତ୍ରରେ ପଶୁ ପକ୍ଷୀଙ୍କୁ ମୃତ୍ୟୁମୁହଁରେ ଛାଡ଼ି ଦେବାକୁ ବାଧ୍ୟ ହେବାକୁ ପଡ଼ୁଛି। କିନ୍ତୁ ଚେନ୍ନାଇର ଏକ ଉଦ୍ଧାରକାରୀ ଦଳ ଏବେ କେରଳରୁ ସମସ୍ତ ଅସହାୟ ପଶୁପକ୍ଷୀଙ୍କୁ ଉଦ୍ଧାର କରୁଛି। ଦିନେଶ ବାବାଙ୍କ ନେତୃତ୍ୱରେ ଏକ ୪ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍ ଏବେ ବିଭିନ୍ନ ସ୍ଥାନରୁ ସମସ୍ତ ପଶୁ ପକ୍ଷୀମାନଙ୍କୁ ଉଦ୍ଧାର କରୁଛନ୍ତି। ଏହି ଟିମ୍ ପ୍ରଥମେ ଇଡ଼ୁକି ଏବଂ ପରେ କୋଟ୍ଟାୟମ୍ରେ କାମ ଆରମ୍ଭ କରିଛି। ଏହି ଟିମ୍ କୁକୁରମାନଙ୍କୁ ଉଦ୍ଧାର କରିବାପାଇଁ ଏକ ବୋଟ୍ର ବ୍ୟବହାର କରୁଛି। ଏହି କୁକୁରମାନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ରଖାଯାଉଛି।
କର୍ଣ୍ଣାଟକରେ ପ୍ରବଳ ବର୍ଷା
ବେଙ୍ଗାଲୁରୁ ,୨୦/୮: କେରଳରେ ଏବେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକର କୋଡ଼ାଗୁରେ ବି ସମାନ ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ହେତୁ କୋଡ଼ାଗୁରେ ଏବେ ବନ୍ୟା ସ୍ଥିତି ଉପୁଜିଛି ଏବଂ ୮ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ୪୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ମତ୍ସ୍ୟଜୀବୀଙ୍କ କାର୍ଯ୍ୟକୁ ପ୍ରଶଂସା
ସବୁବେଳେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜୀବିକାର୍ଜନ କରୁଥିବା ମତ୍ସ୍ୟଜୀବୀମାନେ ଏବେ କେରଳରେ ବନ୍ୟାଗ୍ରସ୍ତ ଅଞ୍ଚଳରେ ବୁଡ଼ି ରହିଥିବା ଅନେକ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହଜାର ହଜାର ଲୋକଙ୍କୁ ଏହି ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ସମ୍ପୂର୍ଣ୍ଣ ଅଜଣା ଜାଗାରେ ପ୍ରଖର ଜଳ ସ୍ରୋତରେ ବି ସେମାନେ ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଅନେକ ମତ୍ସ୍ୟଜୀବୀ ଦଳ ଏବେ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି।
ସାର୍ଟିଫିକେଟ୍ ନଷ୍ଟ ହେବାରୁ ଆତ୍ମହତ୍ୟା
ବନ୍ୟାଗ୍ରସ୍ତ କେରଳରେ ଏବେ ଜୀବନ ଦୁର୍ବିଷହ ହୋଇପଡ଼ିଛି। ବଞ୍ଚିବା ପାଇଁ ଲୋକେ କେବଳ ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି। ଅନେକ ମୂଲ୍ୟବାନ୍ କାଗଜପତ୍ର ବି ପାଣିରେ ଭାସିଯାଇଛି। ଅନେକ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ପାଣିରେ ମିଳେଇ ଯାଇଛି। କିନ୍ତୁ ଏକ ଅଭାବନୀୟ ଘଣଟାକ୍ରମରେ ସାର୍ଟିଫିକେଟ୍ ନଷ୍ଟ ହୋଇଯିବା କାରଣ ପାଇଁ କୋଝିକୋଡ୍ ଜିଲ୍ଲା କାରାନ୍ଥୁରର କୈଳାସ ନାମକ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। କୈଳାସ ନିକଟରେ ଆଇଟିଆଇରେ ନାମ ଲେଖାଇଥିଲେ। ନୂଆ ପୋଷାକ ବି କିଣା ସରିଥିଲା।
ଖାଦ୍ୟ କି ପୋଷାକ ଦରକାର ନାହିଁ: ମନ୍ତ୍ରୀ
ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କେରଳକୁ ପୁନଃନିର୍ମାଣ କରିବାର ସମୟ ଆସିଛି। ସରକାର ଏବେ ଲୋକଙ୍କୁ ରିଲିଫ୍ ପାଇଁ ସହଯୋଗ ଲୋଡ଼ୁନାହାନ୍ତି ବରଂ ଦକ୍ଷ ଲୋକଙ୍କ ସହାୟତା ଲୋଡ଼ିଛନ୍ତି। ବନ୍ୟାଗ୍ରସ୍ତ ଅଞ୍ଚଳରେ ବୁଡ଼ି ରହିଥିବା କୌଣସି ଘରେ ବିଦ୍ୟୁତ୍ ନାହିଁ, ପାଣି ପାଇପ୍ ବି ନଷ୍ଟ ହୋଇଯାଇଛି। ଘରର କବାଟ ଝରକା ଓ ଆସବାବ ପତ୍ର ବି ନଷ୍ଟ ହୋଇଯାଇଛି। ତେଣୁ ଏବେ କେରଳକୁ ପୁଣିଥରେ ନିର୍ମାଣ କରିବାପାଇଁ ଦକ୍ଷ ଇଲେକ୍ଟ୍ରିସିଆନ, ପାଣି ପାଇପ୍ ମିସ୍ତ୍ରି ଏବଂ ବଢ଼େଇ ଦରକାର। କେନ୍ଦ୍ର ମନ୍ତ୍ରୀ କେଜେ ଆଲଫନ୍ସ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଖାଦ୍ୟ କି ପୋଷାକ ଦରକାର ନାହିଁ ବରଂ କେରଳକୁ ପୁଣି ଥରେ ଗଢ଼ି ତୋଳିବାପାଇଁ ଦକ୍ଷ ଲୋକଙ୍କ ସହଯୋଗ ଦରକାର।
କେରଳ ପ୍ରଳୟ:ଭାସିଗଲା ୨୦ ହଜାର ଘର : ରିଲିଫ ଶିବିରରେ ୧୦ ଲକ୍ଷ ଲୋକ
୯୦% ଉଦ୍ଧାର କାର୍ଯ୍ୟ ଶେଷ: ରାଜ୍ୟକୁ ସହାୟତାର ସୁଅ: ସୁପ୍ରିମ୍କୋର୍ଟ ବିଚାରପତିଙ୍କ ଆର୍ଥିକ ସହାୟତା
/sambad/media/post_attachments/wp-content/uploads/2018/08/peolpe-back-home-1.jpg)