ବୈଧ କାରଣ ବିନା ନାଗରିକଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିବାର କାହାର ଅଧିକାର ନାହିଁ: କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍‌: ଗଣମାଧ୍ୟମ ହେଉ କିମ୍ବା ସରକାରୀ ଏଜେନ୍ସି ହେଉ, ବୈଧ କାରଣ ବିନା ନାଗରିକଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିବାର କାହାର ଅଧିକାର ନାହିଁ। ଏକ ଟିଭି ଚ୍ୟାନେଲର ଦୁଇଜଣ କର୍ମଚାରୀଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ କେରଳ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସାଧାରଣ ନାଗରିକଙ୍କ ଗୋପନୀୟତା ଅଧିକାର ସହିତ ଗଣମାଧ୍ୟମ ପ୍ରତିନିଧି ଖେଳି କରିପାରିବ ନାହିଁ।

ଜଷ୍ଟିସ ଭି.ଜି ଅରୁଣ କହିଛନ୍ତି ଯେ କିଛି ଚ୍ୟାନେଲ, ଖବର ଦେଖାଇବା ପରିବର୍ତ୍ତେ ସେମାନଙ୍କ ବୃତ୍ତିରେ ଅନୈତିକ ଅଭ୍ୟାସ ପ୍ରଦର୍ଶନ କରୁଥିବାର ଦେଖିବା ନିରାଶଜନକ ଅଟେ। ଯଦି ଏପରି ଖବରକୁ ବନ୍ଦ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ନ୍ୟୁଜ୍ ଚ୍ୟାନେଲଗୁଡିକ ନିଜେ ନିଜକୁ ପରଖିବା ଉଚିତ୍। କିଛି ଲୋକଙ୍କ କାର୍ଯ୍ୟକଳାପ ହେତୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଲୋକଙ୍କ ବିଶ୍ୱାସ ହ୍ରାସ ପାଉଛି।

ଏକ ଅନଲାଇନ୍ ଚ୍ୟାନେଲରେ ଜଣେ ମହିଳାଙ୍କୁ ଅପମାନିତ କରୁଥିବା ଖବର ପ୍ରକାଶ କରିବା ପରେ ଏହାର ମାଲିକ ଏବଂ ଜଣେ କର୍ମଚାରୀଙ୍କ ବିରୋଧରେ ଆଇପିସି, ଆଇଟି ଆକ୍ଟ ଏବଂ ଏସସି-ଏସଟି (ପ୍ରିଭେନସନ୍ ଅଫ୍ ଆଟ୍ରୋସିଟିସ୍) ଆକ୍ଟର ବିଭିନ୍ନ ବିଭାଗ ଅଧୀନରେ ମାମଲା ରୁଜୁ ହୋଇଥିଲା। ମହିଳା ଜଣକ ନିଜେ ମଧ୍ୟ ଏକ ମିଡିଆ ଚ୍ୟାନେଲରେ କାମ କରୁଥିଲେ। ତାଙ୍କ ଅଭିଯୋଗ ଥିଲା ଯେ ମିଡିଆ ବ୍ୟକ୍ତିମାନେ ତାଙ୍କୁ ଜବରଦସ୍ତ ଉଲଗ୍ନ କରି ଭିଡିଓ କରିଥିଲେ।ସେମାନେ ଏଥିରେ କିଛି ପରିବର୍ତ୍ତନ କରି ରାଜ୍ୟର ଜଣେ ମହିଳା ମନ୍ତ୍ରୀଙ୍କ ନକଲି ଭିଡିଓ କରିବାକୁ ଚାହୁଁଥିଲେ।

ଚ୍ୟାନେଲ ମାଲିକ ଗିରଫ ହେବା ପରେ ମଧ୍ୟ ଏହି ଭିଡିଓଗୁଡିକ ଖବର ଭାବରେ ପ୍ରକାଶ ପାଇଥିଲା। ଅଭିଯୁକ୍ତ ଜାଣିଥିଲା ​​ଯେ ମହିଳା ଜଣକ ଅନୁସୂଚିତ ଜନଜାତିର ଅଟନ୍ତି, ତେଣୁ ଅତ୍ୟାଚାର ନିବ‌ାରଣ ଅଧିନିୟମ  ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ପଞ୍ଜୀକୃତ ହୋଇଥିଲା।

ସମ୍ବନ୍ଧିତ ଖବର