କେରଳରେ ଭାଙ୍ଗିବେ କି ୪୦ ବର୍ଷର ପରମ୍ପରା? ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିପାରନ୍ତି ପିନାରାୟୀ ବିଜୟନ

ନୂଆଦିଲ୍ଲୀ: କେରଳ ରାଜନୈତିକ ଇତିହାସରେ ସୃଷ୍ଟି ହୋଇପାରେ ନୂଆ ଅଧ୍ୟାୟ । ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିପାରେ ଏଲଡିଏଫ । କାରଣ ବର୍ତ୍ତମାନ ଚାଲିଥିବା ଭୋଟ ଗଣତିର ସଂଖ୍ୟା ଯାହା କହୁଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିପାରନ୍ତି ପିନାରାୟୀ ବିଜୟନ । କେରଳର ୧୪୦ ବିଧାନସଭା ଆସନରୁ ଏବେ ସୁଦ୍ଧା ଏଲଡିଏଫ ୯୦ଟି ସିଟରେ ବିଜୟୀ ହୋଇଥିବା ବେଳେ ୟୁଡିଏଫ ୪୫ ସିଟ ପାଇଛି ।

ଯଦି ଆମେ କେରଳର ରାଜନୈତିକ ଇତିହାସ ଦେଖିବା ତେବେ ଗତ ୪୦ ବର୍ଷ ମଧ୍ୟରେ କୌଣସି ଦଳ ଲଗାତାର ସରକାର ଗଠନ କରିନାହାନ୍ତି । ୧୯୮୧ ମସିହାରୁ ପ୍ରତି ୫ ବର୍ଷରେ ଥରେ ସରକାର ବଦଳି ଥାଏ । ସେହପରି ୧୯୮୧ ମସିହା ପୂର୍ବରୁ ମଧ୍ୟ କୌଣସି ଦଳ ଲଗାତାର ସରକାର ଗଠନ କରିବାରେ ସଫଳ ହୋଇ ନାହାନ୍ତି । ହେଲେ ଏଥର କିନ୍ତୁ ଇତିହାସ ବଦଳାଇ ପାରନ୍ତି ପିନାରାୟୀ ବିଜୟନ ।

୨୦୧୬ ମେ ୨୫ରୁ କେରଳରେ ସରକାର ଗଠନ କରିଥିଲେ ଏଲଡିଏଫର ପିନାରାୟୀ ବିଜୟନ । ସମସ୍ତେ ଜାଣିଥିଲେ ୫ ବର୍ଷ ପରେ ପୁଣି ସରକାର ବଦଳିବ । ହେଲେ ସେହି ରାଜନୈତିକ ଚିନ୍ତା ଧାରାକୁ ଏବେ ବଦଳାଇବାକୁ ଯାଉଛନ୍ତି ବିଜୟନ । ହେଲେ ଏହା କିପରି ସମ୍ଭବ କଲେ ପିନାରାୟୀ ବିଜୟନ ? ଏତେ ବର୍ଷର ପରମ୍ପରାକୁ ନୂଆ ଦିଗ ଦେଖାଇବାରେ କେଉଁ କାମ ତାଙ୍କୁ ସହାୟତା କଲା ।

ତେବେ ପଛ କଥା ଚିନ୍ତା କଲେ ପିନାରାୟୀ ବିଜୟନଙ୍କ ସଫଳତାର ମନ୍ତ୍ର ନଜର ଆସିବ । ଯେତେବେଳେ ଦେଶର ପ୍ରଥମ କୋଭିଡ ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଥିଲା । ଆଉ ଏହାପରେ କେରଳରେ ମାଡି ଚାଲିଥିଲା ସଂକ୍ରମଣ । ସେତେବଳେ କିଭଳି କରୋନାକୁ ସାମ୍ନା କରିଥିଲା ରାଜ୍ୟ । ଆଉ ଖୁବ କମ ସମୟ ମଧ୍ୟ ସଂକ୍ରମଣ ସଂଖ୍ୟା କମ କରି ସାରା ଦେଶ ପାଇଁ ମଡେଲ ରାଜ୍ୟ ପାଲଟିଥିଲା । ତେବେ କହିପାରିବା ଏହା ଏକ ମୁଖ୍ୟ କାରଣ ପିନାରାୟୀଙ୍କ ସଫଳତା ପାଇଁ ।

କୋଭିଡ ସମୟରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଅର୍ଥନୀତିକୁ ଅଧିକ ଗୁରୁତ୍ୱ ଦେଇଥିଲେ ପିନାରାୟୀ ବିଜୟନ । ସଂକ୍ରମଣ ସମୟରେ ସନ୍ତୁଳନ ରକ୍ଷା କରି ମହାମାରୀ ବିରୋଧରେ ଲଢେଇ କରିଥିଲେ । ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୁଏତ ତାଙ୍କୁ ଏହି ସଫଳତା ଦେଇପାରେ ।

ସମ୍ବନ୍ଧିତ ଖବର