କେରଳରେ ବର୍ଷାର ତାଣ୍ଡବ: ୨୬ ବର୍ଷ ପରେ ପ୍ରଥମ ଥର ଲାଗି ଖୋଲିଲା ଇଡୁକି ଜଳଭଣ୍ଡାର, ବନ୍ୟା ନେଲାଣି ୨୬ ଜୀବନ

ଥିରୁଅନନ୍ତପୁରମ୍: କେରଳରେ ତାଣ୍ଡବ ଲୀଳା ରଚାଇଛି ବର୍ଷା। ଲଗାଣ ବର୍ଷା ରାଜ୍ୟର ଅନେକ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଭଳି ବିପର୍ଯ୍ୟୟ ସୃଷ୍ଟି କରିଛି। ଫଳରେ ୨୪ ଘଣ୍ଟା ମଧ୍ୟରେ ୨୬ ଜଣଙ୍କ ପ୍ରାଣହାନି ଘଟିଛି। ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଏର୍ଣ୍ଣାକୁଲମ୍ ଜିଲ୍ଲା।

ଦୀର୍ଘ ୨୬ ବର୍ଷ ପରେ ଇଡୁକି ଜଳଭଣ୍ଡାରର ସମସ୍ତ ଗେଟ୍ ଖୋଲାଯାଇଛି। ଫଳରେ ପ୍ରତି ସେକେଣ୍ଡରେ ପେରିୟାର ନଦୀକୁ ୬ ଲକ୍ଷ ଲିଟର ଜଳ ପ୍ରବେଶ କରୁଛି। ୨୪୦୩ ଫୁଟ୍ ଗଭୀର ଇଡୁକି ଜଳଭଣ୍ଡାରର ନିର୍ମାଣ ହେବା ଦିନୁ କେବେ ବି ଜଳପୂର୍ଣ୍ଣ ହୋଇ ନ ଥିଲା। ପ୍ରବଳ ବର୍ଷା ହେତୁ ଏହି ଜଳଭଣ୍ଡାରର ୫ଟି ଯାକ ଗେଟ୍ ଖୋଲି ଦିଆଯାଇଛି। ଏବେ ଜଳଭଣ୍ଡାରରେ ଜଳସ୍ତର ୨୪୦୧.୫ ଫୁଟ୍ ରହିଛି। ଇଡୁକି ଜଳଭଣ୍ଡାର ସହିତ ରାଜ୍ୟର ସମୁଦାୟ ୨୨ଟି ଜଳଭଣ୍ଡାରର ଗେଟ୍ ଖୋଲାଯାଇଛି।

ଅନ୍ୟପକ୍ଷରେ କେରଳ ସରକାର ଜରୁରୀ ସ୍ଥିତିର ମୁକାବିଲା ପାଇଁ ସ୍ଥଳ ସେନାବାହିନୀ, ନୌବାହିନୀ ଏବଂ ବାୟୁ ସେନାର ସହଯୋଗ ଲୋଡ଼ିବା ପରେ ସେଠାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନାକୁ ପ୍ରେରଣ କରାଯାଇଛି। ଏଥିସହ ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫକୁ ମଧ୍ୟ ପଠାଯାଇଛି।

ରାଜ୍ୟରେ ଏଭଳି ସାଂଘାତିକ ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଜରୁରି କ୍ୟାବିନେଟ୍ ବୈଠକ କରିଛନ୍ତି। ବର୍ଷା ଓ ବନ୍ୟା ଯୋଗୁ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ୬ଟି ଜିଲ୍ଲାରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଆଜି ଅପରାହ୍ନରେ କୋଚୀ ବିମାନବନ୍ଦରରେ ୨ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ଏବଂ ଘରୋଇ ବିମାନ ଗୁଡ଼ିକର ଅବତରଣକୁ ବାତିଲ କରି ଦିଆଯାଇଥିଲା। ଅନେକ ବିମାନର ଦିଗ ପରିବର୍ତ୍ତନ କରାଯାଇଛି।

ସେହିପରି ଏକାଧିକ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ଏବଂ ଅନେକ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଉତ୍ତର କେରଳରେ ପ୍ରବଳ ବର୍ଷା ହେତୁ କେତେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଓ୍ଵାୟାନଡ଼ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନ ହେତୁ ଏହା ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ପରିସ୍ଥିତି ଏଭଳି ହୋଇଛି ସାଧାରଣ ଜୀବନଯାତ୍ରା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ସେନାବାହିନୀ ମୁତୟନ ହୋଇଛନ୍ତି। ଇଡୁକି ଜିଲ୍ଲାରେ କୋଠା ଭୁଶୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାଲାପ୍ପୁରମ୍ରେ ୫ ଜଣ ଏବଂ ଓ୍ଵାୟାନଡ଼ରେ ୩ ଜଣ, କନ୍ନୁରରେ ୨ ଜଣ ଏବଂ କୋଝିକୋଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି। ପାଖାପାଖି ୧୫ ଜଣ ନିଖୋଜ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର