୧୯ ବର୍ଷ ପରେ ଗିରଫ ହେଲା ଗୋଧ୍ରା ଟ୍ରେନ ପୋଡ଼ି ଘଟଣାର ଅନ୍ୟତମ ଷଡ଼ଯନ୍ତ୍ରକାରୀ ରଫିକ୍

ଅହମଦାବାଦ :  ଗୋଧ୍ରା ଟ୍ରେନ ପୋଡ଼ି ଘଟଣା ଘଟିବାର ୧୯ ବର୍ଷ ପରେ ଏହି ଘଟଣାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରଫିକ ହୁସେନ ବହୁଟୁକ ଗିରଫ ହୋଇଛି। ଗୁଜୁରାଟ ପୁଲିସର ଏକ ସ୍ବତନ୍ତ୍ର ଟିମ ତାକୁ ଗୋଧ୍ରାରୁ ଗିରଫ କରିଛି ।

ସେ ଗତ ୧୯ ବର୍ଷ ଧରି ଫେରାର ଥିଲା । ତେବେ ଗତ କିଛି ଦିନ ହେଲା ସେ ଗୋଧ୍ରାସ୍ଥିତ ନିଜ ଘରକୁ ଫେରିଥିବା ପୁଲିସ ଖବର ପାଇବା ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ ତାଘରେ ଚଢଉ କରି ତାକୁ ଗିରଫ କରିଥିଲା ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଟ୍ରେନ ପୋଡ଼ି ପରେ ସେ ଦିଲ୍ଲୀ ପଳାଇଯାଇଥିଲା । ସେଠାରେ ଶ୍ରମିକ କିମ୍ବା ରେଳ ଷ୍ଟେସନରେ କୁଲି ଭାବେ କାମ କରୁଥିଲା ।

୨୦୦୨ ଫେବ୍ରୁଆରି ୨୭ରେ ଗୁଜୁରାଟର ପଞ୍ଚମହଲ ଜିଲ୍ଲା ଗୋଧ୍ରା ରେଳ ଷ୍ଟେସନଠାରେ ଛି଼ଡ଼ା ହୋଇଥିବା ସାବରମତି ଏକ୍ସପ୍ରେସର ଏକ ବଗିକୁ ନିଆଁ ଲଗାଇଦିଆଯାଇଥିଲା । ଫଳରେ ସେଥିରେ ବସିଥିବା ୫୯ ଜଣ କରସେବକ ଜୀବନ୍ତ ଦଗଧ ହୋଇଯାଇଥିଲେ । ଏହା ପରେ ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଥିଲା ଓ ଭାରତ ଇତିହାସରେ ଏକ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା ।

ଅନ୍ୟପକ୍ଷରେ ଗୋଧ୍ରା ଘଟଣାରେ ଆଉ ତିନିଜଣ ମୁଖ୍ୟ ଅଭିଯୁକ୍ତ ସଲିମ ପାନଓ୍ବାଲା, ସୌକତ ଚରଖା ଓ ଅବ୍ଦୁଲ ମାଜିଦ ୟୁସୁଫ ମିଟା ଏବେ ବି ଫେରାର ଅଛନ୍ତି । ସେମାନେ ପାକିସ୍ତାନ ଚାଲିଯାଇଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର