ଶାସ୍ତି ନ ପାଇ ସୁରକ୍ଷିତ ଅଛନ୍ତି ୨୬/୧୧ର ମୁଖ୍ୟ ଷଡ଼ଯନ୍ତ୍ରକାରୀ: ଜୟଶଙ୍କର

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଅଣାଯିବା କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ବୋଲି ଆଜି ଜାତିସଂଘ ସୁରକ୍ଷା ପରିଷଦ୍‌ର ଆତଙ୍କବାଦ-ମୁକାବିଲା କମିଟିର ବିଶେଷ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

୨୬/୧୧ର ଆକ୍ରମଣ କେନ୍ଦ୍ର ମୁମ୍ବାଇସ୍ଥିତ ହୋଟେଲ୍‌ ତାଜ୍‌ରେ ଅନୁଷ୍ଠିତ ଉକ୍ତ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ ସ୍ମରଣ କରି କହିଛନ୍ତି, ୧୪ ବର୍ଷ ତଳେ ମୁମ୍ବାଇବାସୀ ବିଶ୍ବ ଇତିହାସର ସାମ୍ପ୍ରତିକ ସମୟ ସବୁଠୁ ଭୟାବହ ଆତଙ୍କବାଦୀ ଆକ୍ରମଣରୁ ଗୋଟାଏ ଆକ୍ରମଣ ଦେଖିଥିଲେ। ଏହି ଆକ୍ରମଣ ଯୋଗୁଁ ୪ ଦିନରେ ୧୪୦ଜଣ ଭାରତୀୟ ଏବଂ ଆଉ ୨୩ଟି ଦେଶର ୨୬ଜଣ ନାଗରିକ ପ୍ରାଣ ହରାଇଥିଲେ। କହିବାକୁ ଗଲେ, ସୀମାପାରିରୁ ଆସିଥିବା ଆତଙ୍କବାଦୀମାନେ ସମଗ୍ର ସହରକୁ ପଣବନ୍ଦୀ ରଖିଥିଲେ।  ଏହି ଆକ୍ରମଣ କେବଳ ମୁମ୍ବାଇ ନୁହେଁ, ଆନ୍ତର୍ଜାତିକ ସମୁଦାୟ ଉପରେ କରାଯାଇଥିଲା।

Image Courtesy of The Times of India

ହତ୍ୟା କରାଯିବା ଆଗରୁ ପ୍ରତ୍ୟେକ ଦେଶର ନାଗରିକଙ୍କୁ ଚିହ୍ନଟ କରାଯାଇଥିଲା। ତେଣୁ, ଆତଙ୍କବାଦ ବିରୋଧରେ ସଂଗ୍ରାମ କରିବା ଲାଗି ଜାତିସଂଘର ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ପ୍ରତି ଏହା ଖୋଲା ଚାଲେଞ୍ଜ୍‌ ହୋଇ ରହିଛି। ସେବେଠାରୁ ଆମେ ଏହି ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ଓ ଷଡ଼ଯନ୍ତ୍ରୀକାରୀଙ୍କର ବିଚାର କରିବା ଲାଗି ଆଣିବାକୁ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି। ସେ କାମ ଅସମ୍ପୂର୍ଣ୍ଣ ରହିଛି। ସେଥିପାଇଁ ଏହି ସ୍ଥାନରେ ଜାତିସଂଘ ସୁରକ୍ଷା ପରିଷଦ୍‌ର ଆତଙ୍କବାଦ-ମୁକାବିଲା କମିଟି ସମାବେଶ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର