କୋର୍ଟରେ କସବ ବିରୁଦ୍ଧରେ ସାକ୍ଷୀ ଦେଇଥିବା ହରିଶ୍ଚନ୍ଦ୍ର ଶ୍ରୀବର୍ଦ୍ଧନକରଙ୍କ ମୃତ୍ୟୁ

ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣ ଘଟାଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସବକୁ କୋର୍ଟରେ ଚିହ୍ନଟ କରିଥିବା ହରିଶ୍ଚନ୍ଦ୍ର ଶ୍ରୀବର୍ଦ୍ଧନକରଙ୍କ ମୃତ୍ୟୁହୋଇଛି । ମୁମ୍ବାଇ ଉପକଣ୍ଠ କଲ୍ୟାଣସ୍ଥିତ ନିଜ ଘରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

୨୬ ନଭେମ୍ବର ୨୦୦୮ ରାତିରେ ସେ ମୁମ୍ବାଇର କାମା ହସପିଟାଲ ନିକଟରେ ଥିବାବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ସେ ଆହତ ହୋଇଥିଲେ । ତାଙ୍କ ଦେହରେ ଦୁଇଟି ଗୁଳି ବାଜିଥିଲା । ତେବେ ଆହତ ହେବା ସତ୍ତ୍ୱେ ସେ ଆକ୍ରମଣକାରୀ ଆତଙ୍କବାଦୀ କସବକୁ ଦେଖିପାରିଥିଲେ । ପରେ କୋର୍ଟରେ ଏହି ମାମଲାର ବିଚାର ବେଳେ ସେ କସବକୁ ଚିହ୍ନଟ କରିଥିଲେ । ତାଙ୍କର ସାକ୍ଷ୍ୟ ଅନୁସାରେ କସବକୁ ଦୋଷୀ ସାବ୍ୟସ୍ତ କରିବା ସହଜ ହୋଇଥିଲା ।

କିଛି ଦିନ ପୂର୍ବରେ ସେ କଲ୍ୟାଣର ଏକ ଫୁଟପାଥରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲେ । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଉଠିଥିଲା । ଏହା ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ତାଙ୍କୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସାକ୍ଷାତ କରିଥିଲେ । ସହ ତାଙ୍କ ପରିବାରର ସହାୟତା ପାଇଁ ବିଜେପି ତରଫରୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ଘରେ ତାଙ୍କର ପତ୍ନୀ, ଦୁଇ ପୁଅ ଓ ବୋହୂ ଅଛନ୍ତି ।

ସମ୍ବନ୍ଧିତ ଖବର