ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁଇନ୍ଦା ରିପୋର୍ଟ ଆକ୍ରମଣର ୩ ଦିନ ପୂର୍ବରୁ ମିଳିଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦାବି କରିଛନ୍ତି। ଏଭଳି ରିପୋର୍ଟ ପାଇଁ  ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତ ବାତିଲ ହୋଇଥିଲା ବୋଲି ଖଡ଼ଗେ କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ଏକ ରାଲିକୁ ସମ୍ବୋଧିତ କରି ଖଡ଼ଗେ ଦାବି କରିଛନ୍ତି ଯେ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତିନି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁଇନ୍ଦା ରିପୋର୍ଟ ପଠାଯାଇଥିଲା। ତେବେ ଏଭଳି ଆକ୍ରମଣ ସଂପର୍କରେ ଅଧିକ ତଥ୍ୟ ହାସଲ ନହେବା ଏବଂ ଏହାକୁ ରୋକି ନହେବା ଏକ ଗୁଇନ୍ଦା ବିଫଳତା ବୋଲି ସେ କହିଛନ୍ତି। ସରକାର ଗୁଇନ୍ଦା ବିଫଳତାକୁ ସ୍ବୀକାର କରିଛନ୍ତି ଏବଂ ଏବେ ସେମାନେ ଏହାକୁ ସୁଧାରିବେ ବୋଲି ଖଡ଼ଗେ କହିଛନ୍ତି।

Advertisment

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଥିଲେ। ପହଲଗାମର ବୈସାରଣ ଉପତ୍ୟକାରେ ଆତଙ୍କବାଦୀମାନେ ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିଲେ। ପହଲଗାମ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ ନିରାପତ୍ତା କମିଟି ସିନ୍ଧୁ ଜଳ ଚୁକ୍ତିକୁ ତୁରନ୍ତ ସ୍ଥଗିତ ରଖିଛନ୍ତି। ପ୍ରଥମ ଥର ପାଇଁ ଭାରତ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  ଏବଂ ଆଗକୁ ମଧ୍ୟ ଆହୁରି କଟକଣା  ଲାଗୁ ହେବା  ସମ୍ଭାବନା ରହିଛି।