ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଣିଜ୍ୟକୁ ବ୍ୟବହାର କରିଛନ୍ତି ବୋଲି ବାରମ୍ବାର ଦାବି କରୁଥିବାରୁ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ପାକିସ୍ତାନର ଯୁଦ୍ଧବିରତି ପ୍ରସ୍ତାବକୁ ମଧ୍ୟ ଭାରତ କାହିଁକି ଗ୍ରହଣ କଲା ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି। ଖଡ଼ଗେ କହିଛନ୍ତି, ଯୁଦ୍ଧବିରତି ଘୋଷଣା ଆମ ବିଦେଶ ମନ୍ତ୍ରୀ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ କରିନାହାନ୍ତି, ବରଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତା ଶ୍ରେୟ ଦାବି କରି ଟ୍ରମ୍ପ ୨୯ ଥର ବୟାନ ଦେଇଥିଲେ ବି ଭାରତ କାହିଁକି ଏହା ଗ୍ରହଣ କରିପାରୁନି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ଏହି ପ୍ରସଙ୍ଗରେ ଖଡ଼ଗେ କହିଛନ୍ତି, ମୋ ଭାଷଣ ଶେଷ ହେବା ବେଳକୁ ବୋଧ ହୁଏ ଟ୍ରମ୍ପ ୩୦ ଥର ପାଇଁ ଏହି ଦାବି କରିଥିବେ। ସେହିପରି ଅପରେସନ୍‌ ସିନ୍ଦୂର ସମୟରେ ୫ଟି ଜେଟ୍‌ ଖସାଇ ଦିଆଯାଇଥିବା ନେଇ ଟ୍ରମ୍ପ ‌ଯେଉଁ ଦାବି କରିଛନ୍ତି ସେହି ପ୍ରସଙ୍ଗରେ ଖଡ଼ଗେ କହିଛନ୍ତି, ମୋଦୀଙ୍କ ସାଙ୍ଗ ୫ଟି ଜେଟ୍‌ ଖସିଥିବା ସଂକ୍ରାନ୍ତ‌ରେ ଅନେକ ଥର କହୁଛନ୍ତି କିନ୍ତୁ ମୋଦୀ ଉକ୍ତ ପ୍ରସଙ୍ଗରେ ନିରବ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତାକୁ ନେଇ ଖଡ଼ଗେ ପ୍ରଶ୍ନ କରିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିରେ ହସ୍ତକ୍ଷେପ କରିଛନ୍ତି। ରାଜନାଥ କହିଛନ୍ତି, ଅପରେସନ୍‌ ସିନ୍ଦୂର କୌଣସି ତୃତୀୟ ପକ୍ଷର ଚାପରେ ଅଟକିନାହିଁ। ଏହାପରେ ଖଡ଼ଗେ ପଚାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଟ୍ରମ୍ପଙ୍କ ଦାବିକୁ ନିନ୍ଦା‌ କରିନାହାନ୍ତି ? ଏସବୁ ମିଛ ବୋଲି ପ୍ରଧାନମନ୍ତ୍ରୀ କାହିଁକି କହିନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।