ପ୍ରଚାର ଆରମ୍ଭ କଲେ ଖଡ଼ଗେ: କାହାରିକୁ ବିରୋଧ ନୁହେଁ, ଦଳକୁ ସୁଦୃଢ଼ କରିବାକୁ ପ୍ରାର୍ଥୀ ହୋଇଛି

ବିତର୍କ ପାଇଁ ଥରୁରଙ୍କ ଆହ୍ବାନ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାର୍ଥୀ ତଥା କର୍ଣ୍ଣାଟକର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆଜିଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିଛନ୍ତି। ଖଡ଼୍‌ଗେ ଯଦି ନିର୍ବାଚନରେ ବିଜୟ ଲାଭ କରନ୍ତି ତା’ହେଲେ ଦୀର୍ଘ ୫ ଦଶନ୍ଧି ପରେ ଦ୍ବିତୀୟ ଦଳିତ ନେତାଭାବେ କଂଗ୍ରେସର ସଭାପତି ଆସନରେ ହେବେ। ପ୍ରାୟ ୫ ଦଶନ୍ଧି ପୂର୍ବେ ଜଗଜୀବନ ରାମ କଂଗ୍ରେସର ଦଳିତ ସଭାପତି ହୋଇଥିଲେ। ଉଭୟ ପ୍ରାର୍ଥିଙ୍କ ପ୍ରତି ଗାନ୍ଧି ପରିବାରର ସମର୍ଥନ ରହିଥିବା କୁହାଯାଉଛି। ଖଡ଼ଗେଙ୍କ ପ୍ରତିଦ୍ବନ୍ଦ୍ବୀ ଶଶି ଥରୁର ଦଳର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ ଖଡ଼ଗେ କାହାରିକୁ ବିରୋଧ ପାଇଁ ନୁହେଁ, ବରଂ ଦଳକୁ ସୁଦୃଢ଼ କରିବା ପାଇଁ ପ୍ରାର୍ଥୀ ହୋଇଥିବା କହିଛନ୍ତି। ଅନ୍ୟପକ୍ଷରେ ଖଡ଼୍‌ଗେଙ୍କ ସପକ୍ଷରେ ପ୍ରଚାର ପାଇଁ ଦଳର ୩ ଜଣ ପ୍ରବକ୍ତା ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେଉଥିବା ବେଳେ ଏହି ନିର୍ବାଚନକୁ ଅଧିକ ପାରଦର୍ଶୀ କରିବା ପାଇଁ ଥରୁର ଖୋଲା ବିତର୍କ ସପକ୍ଷରେ ଯୁକ୍ତି ରଖିଛନ୍ତି। ବ୍ରିଟେନ୍‌ରେ ଯେଭଳି କଂଜରଭେଟିଭ୍‌ ଦଳର ସଭାପତି ନିର୍ବାଚନ ପାଇଁ ଖୋଲା ବିତର୍କ ହେଉଛି ସେଭଳି ବିତର୍କ କଂଗ୍ରେସ ସଭାପତି ନିର୍ବାଚନରେ ମଧ୍ୟ ହେବା ଉଚିତ ବୋଲି ଥରୁର କହିଛନ୍ତି। ଏହି ନିର୍ବାଚନ ପାଇଁ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଖୁବ୍‌ ଗ୍ରହଣୀୟ ହେବ ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି। ଖଡ଼ଗେ ଏବଂ ମୋ ମଧ୍ୟରେ କୌଣସି ଆଦର୍ଶଗତ ଫରକ ନାହିଁ ବୋଲି ମଧ୍ୟ ଥରୁର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର