ନୂଆଦିଲ୍ଲୀ: ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଭୋଟର ତାଲିକାର ସ୍ୱତନ୍ତ୍ର  ସଂଶୋଧନ (ଏସ୍‌ଆଇଆର୍‌)କୁ ନିର୍ବାଚନ ଆୟୋଗଙ୍କ ଷଡ୍‌ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟ ବୋଲି କହିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି କହିଛନ୍ତି ଯେ ଏହି ପ୍ରକ୍ରିୟାକୁ ନେଇ ସାରା ଦେଶରେ କ୍ରୋଧ ରହିଛି ଏବଂ ଏହାକୁ ବିରୋଧ କରି ଦଳ ଡିସେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀରେ ଏକ ବିଶାଳ ରାଲି କରିବ।    ନିର୍ବାଚନ ଆୟୋଗର ‘ରାଜନୀତିକରଣ’କୁ ବିରୋଧ କରି ଦଳ ଏହାର ମୁକାବିଲା ପାଇଁ ରଣନୀତି ଘୋଷଣା କରିବ ବୋଲି ଖଡ଼ଗେ କହିଛନ୍ତି। କଂଗ୍ରେସର ଶୀର୍ଷ ନେତୃତ୍ୱ ମଙ୍ଗଳବାର ଦଳର ମୁଖ୍ୟାଳୟ ଇନ୍ଦିରା ଭବନରେ ବିହାର ନିର୍ବାଚନ ଫଳ ଏବଂ  ଏସ୍‌ଆଇଆର ପ୍ରକ୍ରିୟା ଦେଇ ଗତି କରୁଥିବା ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି।  ନିର୍ବାଚନ ଆୟୋଗ ବିଜେପିର ଇଙ୍ଗିତରେ  କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରି ଖଡ଼ଗେ କହିଛନ୍ତି, ଯଦି କମିସନ ଏଭଳି କାର୍ଯ୍ୟ କରୁନାହାନ୍ତି ତା’ହେଲେ ‘ବିଜେପି ସହ କୌଣସି ସଂପର୍କ ନାହିଁ’ ବୋଲି  ପ୍ରମାଣିତ କରନ୍ତୁ।\

Advertisment

ଏହି ବୈଠକରେ  କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ,  ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।   ବୈଠକରେ ଡିସେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିଶାଳ ରାଲି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ରାଲିରେ ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ ନେତାମାନେ ଅଂଶଗ୍ରହଣ କରିବେ। ଖୁବ୍ ଶୀଘ୍ର ରାଲି  ତାରିଖ ଘୋଷଣା କରାଯିବ ବୋଲି ଖଡ଼ଗେ କହିଛନ୍ତି।