ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶନିବାର ଅପରାହ୍ଣରେ ଇଣ୍ଡିଆ ମେଣ୍ଟ ନେତାଙ୍କ ଭର୍ଚୁଆଲ୍ ବୈଠକ ପରେ ଏହା ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେଣ୍ଟର ଆବାହକ ପଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ କଂଗ୍ରେସ ଦଳର କେହି ଜଣେ ଏହି ପଦର ଦାୟିତ୍ୱ ନେବା ଉଚିତ। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ, ଆସନ ବୁଝାମଣା ଏଜେଣ୍ଡା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଶନିବାର ଅପରାହ୍ଣରେ ଇଣ୍ଡିଆ ମେଣ୍ଟର ନେତାମାନେ ଭର୍ଚୁଆଲ୍ ବୈଠକ କରିଥିଲେ।

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ଏନ୍‌ସିପି ନେତା ଶରଦ ପାୱାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁମ୍ବାଇରୁ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଇଥିଲେ। ଡିଏମ୍‌କେ ନେତା କାନିମୋଝି କରୁଣାନିଧି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଚେନ୍ନାଇରୁ ଯୋଗ ଦେଇଥିଲେ। ଆମ୍ ଆଦମୀ ପାର୍ଟି ଓ କଂଗ୍ରେସର ନେତାମାନେ ଶୁକ୍ରବାର ବୈଠକ କରି ଆସନ ବୁଝାମଣା ନେଇ ଆଲୋଚନା କରିଥିଲେ। ମୁକୁଲ ୱାସନିକଙ୍କ ଘରେ ହୋଇଥିବା ଏହି ବୈଠକକୁ ଉଭୟ ଦଳର ନେତାମାନେ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛନ୍ତି। ଅନ୍ୟପକ୍ଷରେ ନୀତୀଶଙ୍କୁ ଆବାହକ ଭାବେ ଗ୍ରହଣ କରିବା ପାଇଁ ମମତା ଚାହୁନଥିବାରୁ ତାଙ୍କୁ ମନାଇବାକୁ ପ୍ରୟାସ ଚାଲିଛି।