ଚଣ୍ଡୀଗଡ଼: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିଶ୍ବହିନ୍ଦୁ ପରିଷଦ-ସହବନ୍ଧିତ ବଜରଙ୍ଗ ଦଳକୁ ନିଷିଦ୍ଧ ଇସଲାମିକ ଉଗ୍ରବାଦୀ ଗୋଷ୍ଠୀ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ସହ ତୁଳନା କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ହିନ୍ଦୁ ସୁରକ୍ଷା ପରିଷଦର ପ୍ରତିଷ୍ଠାତା ହିତେଶ ଭରଦ୍ବାଜ ୧୦୦ କୋଟି ଟଙ୍କାର ମାନହାନି ମାମଲା କରିଥିଲେ। ଏହି ମାମଲାରେ ପଞ୍ଜାବର ସଙ୍ଗରୁର କୋର୍ଟରେ ଆସନ୍ତା ଜୁଲାଇ ୧୦ ତାରିଖରେ ହାଜର ହେବା ପାଇଁ ସିଭିଲ ଜଜ୍ କୋର୍ଟ (ସିନିୟର ଡିଭିଜନ) ରମଣଦୀପ କୌର ସୋମବାର ଖଡ଼ଗେଙ୍କୁ ସମନ ଜାରି କରିଛନ୍ତି।
ହିତେଶଙ୍କ ଅଭିଯୋଗ ଅନୁସାରେ କଂଗ୍ରେସ ତା’ର ଇସ୍ତାହାରରେ ବଜରଙ୍ଗ ଦଳକୁ ସିମି ଓ ଅଲ୍-କାଏଦା ପରି ଦେଶବିରୋଧୀ ସଂଗଠନ ସହ ତୁଳନା କରିଛି। କଂଗ୍ରେସ ତା’ର ଇସ୍ତାହାରରେ ଘୋଷଣା କରିଛି ଯେ ସଂଖ୍ୟାଲଘୁ ବା ସଂଖ୍ୟାଗୁରୁ ସମ୍ପ୍ରଦାୟ ଭିତରେ ବିଦ୍ବେଷ ଓ ଘୃଣାର ମଞ୍ଜି ବୁଣୁଥିବା ବଜରଙ୍ଗ ଦଳ ପରି ସଂଗଠନକୁ ଦଳ କ୍ଷମତାକୁ ଆସିଲା ପରେ ନିଷିଦ୍ଧ କରିବ। ଯେକୌଣସି ବ୍ୟକ୍ତି ବା ସଂଗଠନ ସମ୍ପ୍ରଦାୟଗୁଡ଼ିକ ଭିତରେ ଘୃଣାର ପ୍ରସାର କରିବ, କଂଗ୍ରେସ କ୍ଷମତାକୁ ଆସିଲେ ତା’ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବ। ଆମେ ଆଇନ ଓ ସମ୍ବିଧାନକୁ ପବିତ୍ର ବୋଲି ମାନୁଛୁ। ଏହାର ଅବମାନନା କରୁଥିବା କୌଣସି ବ୍ୟକ୍ତି ବା ବଜରଙ୍ଗ ଦଳ, ପିଏଫ୍ଆଇ ବା ଅନ୍ୟମାନଙ୍କୁ ବରଦାସ୍ତ କରାଯିବ ନାହିଁ। ଦଳକୁ ଯଦି ଆପଣମାନେ ଭୋଟ ଦେଇ ଜିତାନ୍ତି ତେବେ ଆମେ ସେମାନଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ‘ସର୍ବ ଜନଙ୍ଗଡ଼ ଶାନ୍ତିୟା ତୋଟା’ (ସର୍ବ ସମ୍ପ୍ରଦାୟର ଶାନ୍ତି ଉଦ୍ୟାନ) ଶୀର୍ଷକ କଂଗ୍ରେସ ଇସ୍ତାହାରରେ ଉଲ୍ଲେଖ କରାଯାଇଛି।
ବିଦାୟୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ସିଏନ୍ ଅଶ୍ବଥନାରାୟଣ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ ଚାହୁଥିବା କଂଗ୍ରେସକୁ ଚାଲେଞ୍ଜ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଂଗ୍ରେସକୁ ସମାଲୋଚନା କରିଥିଲେ। ବିଜେପି ନେତା ଓ ଜନସାଧାରଣଙ୍କ ପକ୍ଷରୁ ପ୍ରବଳ ବିରୋଧ ପରେ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ବଜରଙ୍ଗ ପରି ଦଳକୁ ନିଷିଦ୍ଧ କରିବାର କୌଣସି ଯୋଜନା ସେମାନଙ୍କର ନାହିଁ କାରଣ ଏହା କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/khadge.jpg)