ଭୂବନେଶ୍ବର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ମଲ୍ଲିକାର୍ଜୁନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଭବ୍ୟ ସ୍ବାଗତ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ କରାଯାଇଛି। କେବଳ ସେତିକି ନୁହେଁ, ଏହି ଗସ୍ତର ପ୍ରଭାବ କିଭଳି ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡିବ ସେ ନେଇ ମଧ୍ୟ ପିସିସି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ‘ଓଡିଶା ବଞ୍ଚାଅ ସମାବେଶ’ ଜରିଆରେ ଦଳ ୩୦ ଜିଲ୍ଲାର କର୍ମୀଙ୍କୁ ଏକାଠି କରିବା ଲାଗି ଯୋଜନା କରିଛି। କେବଳ ସେତିକି ନୁହେଁ, ଖଡ୍ଗେଙ୍କ ଭାଷଣ ଶୁଣିବା ପରେ ସେହି ବାର୍ତ୍ତା ରାଜ୍ୟର ଗାଁ ଗହଳି ପର୍ଯ୍ୟନ୍ତ କିଭଳି ଯିବ, ଦଳ ସେ ନେଇ ବି ଖସଡ଼ା ପ୍ରସ୍ତୁତ କରିଛି।
ଶ୍ରୀ ଖଡ଼୍ଗେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଅଣାଯିବ। ଏହାପରେ ମଧ୍ୟାହ୍ନ ୧୨ଟାରେ ଲୋୟର ପିଏମ୍ଜିରେ ‘ଓଡ଼ିଶା ବଞ୍ଚାଓ ସମାବେଶ’ରେ ଯୋଗଦେବେ। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ ଚୌଧୁରୀଙ୍କ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ବିଧାୟକ, ବରିଷ୍ଠ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଉଲ୍ଲେଖଥାଉକି, ୨୦୨୪ ନିର୍ବାଚନକୁ କଂଗ୍ରେସ ଗୁରୁତ୍ବର ସହିତ ଗ୍ରହଣ କରିଛି। ଏଇଥିପାଇଁ ଯେ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଓଡ଼ିଶାରେ ଶୋଚନୀୟ ପ୍ରଦର୍ଶନ କରିଥିଲା। ବିଧାନସଭାରେ କଂଗ୍ରେସ ୧୬% ଭୋଟ ପାଇଥିଲା।୧୩୮ ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେଇଥିବା ବେଳେ ୩୧ଟି ଆସନରେ ଦ୍ବିତୀୟ ଓ ୯୧ ଟି ଆସନରେ ତୃତୀୟ ସ୍ଥାନରେ ଥିଲା। ସେ ମଧ୍ୟରୁ ୫୯ଟି ଆସନରେ ଦଳ ୧୦ ପ୍ରତିଶତରୁ ମଧ୍ୟ କମ୍ ଭୋଟ ପାଇଥିଲା। ବ୍ରହ୍ମଗିରି ଓ ଖଣ୍ଡପଡାରେ ଦଳୀୟ ପ୍ରାର୍ଥୀ ମାତ୍ର ୧% ଭୋଟ ପାଇଥିଲେ। ପୁରୀ, ଖୋର୍ଧା, ପୋଲସରା, ଚମ୍ପୁଆ ପ୍ରଭୃତି ଆସନରେ ଦଳ ୨% ଭୋଟ ପାଇଥିଲା। ବିଂଝାରପୁର, ଯାଜପୁର, ସାଲେପୁର, ଭୁବନେଶ୍ବର ମଧ୍ୟ, ଚିଲିକା, ନୟାଗଡ, ଚିକିଟି ଭଳି ଆସନରେ ପ୍ରାର୍ଥୀ ମାତ୍ର ୩% ଭୋଟ ପାଇଥିଲେ। ଏକ ଜାତୀୟ ଦଳ ହିସାବରେ ଏଥର ରାଜ୍ୟ କଂଗ୍ରେସ ଲୋକସଭା ଆସନକୁ ମଧ୍ୟ ଗୁରୁତ୍ବ ଦେଉଛି। ୨୦୧୯ରେ କଂଗ୍ରେସ ଲୋକସଭା ନିର୍ବାଚନରେ ୧୪% ଭୋଟ ହାସଲ କରିଥିଲା। ୨୧ ଟି ଆସନ ମଧ୍ୟରୁ ଭୁବନେଶ୍ବରରେ ସିପିଏମ୍, ଆସିକାରେ ସିପିଆଇ ଓ ମୟୂରଭଂଜରେ ଜେଏମ୍ଏମ୍ ସହ ଆସନ ବୁଝାମଣା କରିଥିଲା। ହେଲେ ମେଣ୍ଟ ପ୍ରାର୍ଥୀ ବି ଶୋଚନୀୟ ପରାଜୟର ସାମ୍ନା କରିଥିଲେ। ଏସବୁ ପରିସଂଖ୍ୟାନ ଦେଖି ହାଇକମାଣ୍ଡ ବେଶ୍ ଚିନ୍ତାପ୍ରକଟ କରିଥିଲେ। ଏଥିପାଇଁ ରାଜ୍ୟ ନେତାଙ୍କୁ ବିଭିନ୍ନ ସମୟରେ ଦାୟିତ୍ବ ଦିଆଯାଇଥିଲା। ଏଥିରୁ ସେମାନେ କେତେ କାର୍ଯ୍ୟ କରିଛନ୍ତି, ତାହା ଖଡ୍ଗେଙ୍କ ଗସ୍ତ ବେଳେ ଜାତୀୟ ନେତୃତ୍ବ ଅନୁଧ୍ୟାନ କରିବେ। ଏହାସହ ଆସନ୍ତା ଫେବ୍ରୁଆରି ୧୪ ତାରିଖରୁ ରାହୁଲ ଗାନ୍ଧୀ ଓଡ଼ିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡୋ ନ୍ୟାୟ ଯାତ୍ରା କରିବେ। ଏହା କିଭଳି ସଫଳ ହେବ ସେ ନେଇ ମଧ୍ୟ ଖଡ୍ଗେ ନେତାଙ୍କ ସହ ଆଲୋଚନା କରିବେ। ଏହି ଗସ୍ତକାଳରେ ସେ ରାଜ୍ୟର ଇଣ୍ଡିଆମେଣ୍ଟକର୍ମକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Khadge.jpg)