ଖଡ଼ଗେଙ୍କ ପ୍ରଥମ ଷ୍ଟିୟରିଂ କମିଟି ବୈଠକ: ସମସ୍ତଙ୍କୁ ଉତ୍ତରଦାୟିତ୍ବ ନେବାକୁ ଆହ୍ବାନ

ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦରେ ରହିବେ

ନୂଆଦିଲ୍ଲୀ: ରବିବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ଦ୍ବାରା ଗଠିତ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ କରିଥିଲେ। ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ଅନ୍ୟମାନେ ଏଥିରେ ଯୋଗ ଦେଇଥିଲେ। ଆଗକୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଥିବା ବେଳେ କଂଗ୍ରେସର ଏହି ବୈଠକ ଅତି ଗୁରୁତ୍ବପୂର୍ଣ୍ଣ।ଗତ ଅକ୍ଟୋବର ମାସରେ ଦଳର ସଭାପତି ଭାବେ ନିର୍ବାଚିତ ହେବା ପରେ ପରେ ଖଡ଼ଗେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ସ୍ଥାନରେ ଏକ ୪୭ ଜଣିଆ ଷ୍ଟିୟରିଂ କମିଟି ଗଠନ କରିଥିଲେ। ଏହି କମିଟିରେ ସିଡବ୍ଲୁସିର ଅଧିକାଂଶ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଥିଲା।

ଏହି ଅବସରରେ ଖଡ଼ଗେ କହିଲେ ଯେ, ଦଳ ଓ ଦେଶ ପାଇଁ ଆମ ଦାୟିତ୍ବର ମୁଖ୍ୟ ଅଂଶ ହେଉଛି ଉପରୁ ତଳ ପର୍ଯ୍ୟନ୍ତ ସାଂଗଠନିକ ଉତ୍ତରଦାୟିତ୍ବ। ଯଦି କଂଗ୍ରେସ ସଂଗଠନ ଦୃଢ଼, ଉତ୍ତରଦାୟୀ ହୁଏ ଏବଂ ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିପାରିବ ବୋଲି ଲୋକଙ୍କର ହୃଦ୍‌ବୋଧ ହେବା ଭଳି କାର୍ଯ୍ୟ କରେ, ତେବେ ଆମେ ନିର୍ବାଚନ ଜିତିପାରିବା ଓ ଲୋକଙ୍କର ସେବା କରିପାରିବା। ଯେଉଁମାନେ ଦାୟିତ୍ବ ନେଇପାରିବେ ନାହିଁ, ସେମାନେ ତାଙ୍କ ସହକର୍ମୀମାନଙ୍କ ଲାଗି ବାଟ ‌ଛାଡ଼ିଦେବା ଉଚିତ ବୋଲି ସେ କହିଥିଲେ।

ଏହି ବୈଠକରେ ପୋଖତ କଂଗ୍ରେସ ନେତା ଖଡ଼ଗେ ବିଜେପିକୁ ଗାଳିଦେବାକୁ ବି ଭୁଲି ନ ଥିଲେ। ସେ କହିଥିଲେ ଯେ, ‘ଘୃଣାର ମଞ୍ଜି ବୁଣି’ ‘ବିଭାଜନର ଫସଲ ଅମଳ କରୁଥିବା’ ଶାସକ ଶକ୍ତି ବିରୋଧରେ ଦଳକୁ ଲଢ଼େଇ କରିବାକୁ ପଡ଼ିବ। ଦଳକୁ ପୁନରୁଜ୍ଜୀବିତ କରିବା ପାଇଁ ଖଡ଼ଗେ ଉକ୍ତ ବୈଠକରେ ଆହ୍ବାନ ଦେଇଛନ୍ତି। ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ପଦରେ ରହିବେ ଏବଂ ଏହି ପଦରୁ ଇସ୍ତଫା ଦେବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ। ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ କହିଛନ୍ତି ଯେ ଖଡ଼ଗେ ହିଁ ରାଜ୍ୟସଭାରେ ବିରୋଧୀ ଦଳର ନେତୃତ୍ବ ନେବେ । ଖଡ଼ଗେଙ୍କ ସ୍ଥାନରେ ଆଉ କୌଣସି ନେତାଙ୍କ ନିଯୁକ୍ତି ନେଇ କିଛି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର