ଖଡ଼ଗେଙ୍କ ଅଜବ ଉତ୍ତର: କୌନ୍‌ ବନେଗା କରୋଡ଼ପତି

ନୂଆଦିଲ୍ଲ: ଇଣ୍ଡି ମେଣ୍ଟର ପ୍ରଧାନମନ୍ତ୍ରୀ କିଏ (?) ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଥମୁନଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ନେଇ ପରିହାସମୂଳକ ଉତ୍ତର ଦେଇଛନ୍ତି। ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପଚରାଯିବାରୁ ଖଡ଼ଗେ ମଜାଳିଆ ଜବାବ ଦେଇଛନ୍ତି। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଟିଭି କୁଇଜ୍ ସୋ’ ବିଷୟରେ ଉଲ୍ଲେଖ କରି ଖଡ଼ଗେ କହିଛନ୍ତି, ଏହା ‘କୌନ ବନେଗା କରୋଡପତି’ର ପ୍ରଶ୍ନ ପରି ଲାଗୁଛି। ସିମଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଯଦି ଆମେ ସରକାର ଗଠନ କରିବୁ, ତେବେ ସମସ୍ତ ନେତା ସେମାନଙ୍କ ପ୍ରଧାନମନ୍ତ୍ରୀ କିଏ ହେବେ ସେ ସଂପର୍କରେ ମିଳିତ ନିଷ୍ପତ୍ତି ନେବେ। କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସ୍ତାବ ନ ଦେଇ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ସରକାର ଚଳାଇଥିଲା ବୋଲି ଖଡ଼ଗେ ମନେ ପକାଇ ଦେଇଛନ୍ତି।

‘୨୦୦୪ରେ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ କିନ୍ତୁ ସେ ମନା କରିଦେଇଥିଲେ। ଆମ ପାଖରେ ସଂଖ୍ୟାଗରିଷ୍ଠତା ନଥିଲା, ଆମ ପାଖରେ ୧୪୦ଟି ଆସନ ଥିଲା। ଆମେ ୨୦୦୯ରେ ୨୦୯ ଆସନ ସହ କ୍ଷମତାକୁ ଫେରିଥିଲୁ। ଆମେ ୟୁପିଏ ମେଣ୍ଟ ଗଠନ କରି ୧୦ ବର୍ଷ ଧରି ସରକାର ଚଳାଇଥିଲୁ’ ବୋଲି ଖଡ଼ଗେ କହିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାରେ ବିଫଳ ହୋଇଥିବାରୁ ଇଣ୍ଡି ମେଣ୍ଟକୁ ଟାର୍ଗେଟ୍‌ କରୁଥିବା ଶାସକ ବିଜେପିକୁ କଡ଼ା ସମାଲୋଚନା କରି ଖଡ଼ଗେ କହିଛନ୍ତି, ବେଳେବେଳେ ବୁଦ୍ଧିମାନ ଲୋକମାନେ ମଧ୍ୟ ଇତିହାସ ଭୁଲି ଯାଆନ୍ତି।

ବିଜେପିକୁ ଟାର୍ଗେଟ କରି ଖଡ଼ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୨୦୧୪ ଓ ୨୦୧୯ରେ ଅନେକ ବଡ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହିମାଚଳ ପ୍ରଦେଶକୁ ସେ ସାହାଯ୍ୟ କରିନାହାନ୍ତି। ବିଜେପି ଦେଶରେ ବିରୋଧୀ ଦଳମାନଙ୍କ ସରକାର ଭାଙ୍ଗିବା ପାଇଁ କାମ କରୁଛି ଏବଂ ହିମାଚଳର କଂଗ୍ରେସ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି ବୋଲି ଖଡ଼ଗେ କହିଛନ୍ତି। ଜୁନ୍ ପହିଲାରେ ହିମାଚଳ ପ୍ରଦେଶର ୪ଟି ଯାକ ଲୋକସଭା ଆସନ ପାଇଁ ମତଦାନ ହେବ ଏବଂ ଜୁନ୍ ୪ତାରିଖରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର