ନୂଆଦିଲ୍ଲୀ: କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ‘ଦୁର୍ବଳ ମହିଳା ପ୍ରାର୍ଥୀ’ ଟିପ୍ପଣୀକୁ ନେଇ ଆଜି ରାଜ୍ୟସଭାରେ ତୀବ୍ର ବିବାଦ ଦେଖିବାକୁ ମିଳିଛି। ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ସଂକ୍ରାନ୍ତରେ ଟିପ୍ପଣୀ ରଖିବାକୁ ଯାଇ ଖଡ଼ଗେ କହିଛନ୍ତି, ‘ଦୁର୍ବଳ ମହିଳା ପ୍ରାର୍ଥୀ’ଙ୍କୁ ବାଛିବା ରାଜନୈତିକ ଦଳଗୁଡ଼ିକର ଏକ ଅଭ୍ୟାସ। ଖଡ଼ଗେ ଏହି ସମୟରେ କୌଣସି ନିର୍ଦ୍ଦିଷ୍ଟ ଦଳର ନାଁ ନେଇନାହାନ୍ତି।

Advertisment

ଖଡ଼ଗେ କହିଛନ୍ତି, ଏସ୍‌ସି ଏବଂ ଏସ୍‌ଟି ସହ ଜଡ଼ିତ ମହିଳାମାନଙ୍କର ସାକ୍ଷରତା ହାର କମ୍‌। ଏହି କାରଣ ପାଇଁ ରାଜନୈତିକ ଦଳଗୁଡ଼ିକ ଶିକ୍ଷିତ ଏବଂ ଲଢ଼ିବା କ୍ଷମତା ଥିବା ‘ଦୁର୍ବଳ ମହିଳା’ ପ୍ରାର୍ଥୀ ବାଛିବାର ଅଭ୍ୟାସ ରହିଛି। ତେବେ ଖଡ଼ଗେଙ୍କ ଟିପ୍ପଣୀର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଖଡ଼ଗେ ରାଜନୈତିକ ଦଳଗୁଡ଼ିକ ସଂକ୍ରାନ୍ତରେ ଏଭଳି ଟିପ୍ପଣୀ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ନିର୍ମଳା କହିଛନ୍ତି, ବିରୋଧୀ ନେତାଙ୍କୁ ଆମେ ସମ୍ମାନ ଦେଉଛୁ କିନ୍ତୁ ସମସ୍ତ ଦଳ ଯୋଗ୍ୟ ମହିଳା ପ୍ରାର୍ଥୀଙ୍କୁ ବାଛୁନାହାନ୍ତି ବୋଲି କହିବା ଅଗ୍ରହଣୀୟ। ଆମେମାନେ ସମସ୍ତେ ଆମ ଦଳ ଦ୍ବାରା ସଶକ୍ତ ହୋଇଛୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସଶକ୍ତ ହୋଇଛନ୍ତି। ତେବେ ସୀତାରମଣଙ୍କ ଟିପ୍ପଣୀର ଜବାବ ରଖି ଖଡ଼ଗେ କହିଛନ୍ତି, ସୀତା‌ରମଣ ‌ଯେଉଁ ସୁଯୋଗ ପାଇଛନ୍ତି ପଛୁଆ ବର୍ଗ, ଏସ୍‌ସି ଶ୍ରେଣୀର ମହିଳାମାନେ ତାହା ପାଇନାହାନ୍ତି। ସୀତାରମଣ ଏହାପରେ ପୁଣିଥ‌ରେ ଏହି କଥାକୁ ବିରୋଧ କରି କହିଛନ୍ତି, ଦ୍ରୌପଦୀ ମୁର୍ମୁ କିଏ । ବିରୋଧୀ ନେତା ଲୋକଙ୍କୁ ଏଭଳି ଅପମାନିତ କରିବା ଉଚିତ ନୁହେଁ କି ମହିଳାଙ୍କ ମଧ୍ୟରେ ଏଭଳି ବିଭେଦ ସୃଷ୍ଟି କରିବା ଉଚିତ ନୁହେଁ। ଆମେ ସମସ୍ତ ମହିଳାଙ୍କ ପାଇଁ ସଂରକ୍ଷଣ ଚାହୁଛୁ। ତେବେ ଉଭୟ ନେତାଙ୍କ କଥା କଟାକଟି ମଧ୍ୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ହସ୍ତକ୍ଷେପ କରିଥିଲେ। ଖଡ଼ଗେ ଏହାପରେ କହିଥିଲେ ସେ ମହିଳା ସଂରକ୍ଷଣ ବିଲ୍‌କୁ ସ୍ବାଗତ କରୁଛନ୍ତି।