‘ହାର୍ମୋନାଇଜଡ ସିଷ୍ଟମ’ ବା ‘ଏଚ୍‌ଏସ୍‌ କୋଡ’ରେ ସାମିଲ୍‌ ହେଲା ଖଦି, ରପ୍ତାନି ବୃଦ୍ଧିରେ ସହାୟକ ହେବ

ନୂଆଦିଲ୍ଲୀ : ବିଭିନ୍ନ ଉତ୍ପାଦର ରପ୍ତାନି ପାଇଁ ଭାରତ ସରକାରଙ୍କ ପକ୍ଷରୁ କରାଯାଉଥିବା ସ୍ୱତନ୍ତ୍ର ବର୍ଗୀକରଣ ତାଲିକାରେ ଖଦି ସ୍ଥାନ ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ନଭେମ୍ବର ୪, ୨୦୧୯ରେ ପ୍ରକାଶ ପାଇଥିବା ଏଚ୍‌ଏସ୍‌ କୋଡ ମାନ୍ୟତାପ୍ରାପ୍ତ ଉତ୍ପାଦ ତାଲିକାରେ ଖଦିକୁ ସାମିଲ କରାଯାଇଛି । ଫଳରେ ପାରମ୍ପରିକ ପରିଚୟର ପରିଧିରୁ ବାହାରକୁ ବାହାରି ଖଦିକୁ ଏକ ସ୍ୱତନ୍ତ୍ର ଏଚ୍‌ଏସ୍‌ କୋଡ ମିଳିବ ଏବଂ ଏହାର ରପ୍ତାନି ବୃଦ୍ଧ ିପାଇବ ।

ରପ୍ତାନି ହେଉଥିବା ଉତ୍ପାଦ ପାଇଁ ବିଶ୍ୱ ବର୍ହିଶୁଳ୍କ ସଂଗଠନ (ଡବ୍ଲ୍ୟୁସିଓ) ପକ୍ଷରୁ ‘ହାର୍ମୋନାଇଜଡ ସିଷ୍ଟମ’ ବା ‘ଏଚ୍‌ଏସ୍‌ କୋଡ’ ବିକଶିତ କରାଯାଇଛି । କୌଣସି ଉତ୍ପାଦର ପରିଚୟ ପାଇଁ ଏହା ହେଉଛି ୬ ସଂଖ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଡ୍‌ ବା ସଂକେତ। ଯେକୌଣସି ଉତ୍ପାଦକୁ କୌଣସି ଅନ୍ତର୍ଜାତୀୟ ସୀମା ମଧ୍ୟକୁ ପ୍ରବେଶ କିମ୍ବା ଅତିକ୍ରମ ନିମନ୍ତେ ଅନୁମତି ଦେବା ଲାଗି ବର୍ହିଶୁଳ୍କ ଅଧିକାରୀମାନେ ଏଚ୍‌ଏସ୍‌ କୋଡର ଉପଯୋଗ କରିଥା’ନ୍ତି ।

ଏହାକୁ ଦୃଷ୍ଟିରେ ରଖି ଖଦିକୁ ଏକ ସ୍ୱତନ୍ତ୍ର ଏଚ୍‌ଏସ୍‌ କୋଡ ପ୍ରଦାନ କରାଯିବା ପାଇଁ ବିଚାର କରାଯାଉଥିଲା। ଚଳିତ ସପ୍ତାହରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ଭାରତର ପରିଚୟ ଖଦି କପଡ଼ାକୁ ସ୍ୱତନ୍ତ୍ର ଏଚ୍‌ଏସ୍‌ କୋଡ ପ୍ରଦାନ କରାଯାଇଛି । ଅର୍ଥାତ ଏହାକୁ ସାଧାରଣ ବୟନ ଉତ୍ପାଦ ତାଲିକାରୁ ବାହାର କରି ସ୍ୱତନ୍ତ୍ର ଭାବେ ବର୍ଗୀକରଣ କରାଯାଇଛି ।

ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା କହିଛନ୍ତି ଯେ, ସରକାରଙ୍କ ଏହି ନିଷ୍ପତି ଖଦି ରପ୍ତାନି କ୍ଷେତ୍ରରେ ନୂତନ ଅଧ୍ୟାୟ ଆରମ୍ଭ କରିବ । ପୂର୍ବରୁ ଖଦିର ସ୍ୱତନ୍ତ୍ର ଏଚ୍‌ଏସ୍‌ କୋଡ ନଥିଲା । ଯାହାର ଫଳସ୍ୱରୂପ ଏହି ସ୍ୱତନ୍ତ୍ର କପଡ଼ାକୁ ସାଧାରଣ ବୟନ ଉତ୍ପାଦ ଭାବେ ବିବେଚନା କରାଯାଇ ରପ୍ତାନି କରାଯାଉଥିଲା । ବର୍ତମାନ ଆମେ ଏହି ସ୍ୱତନ୍ତ୍ର କପଡ଼ାର ରପ୍ତାନି ସମ୍ପର୍କରେ ସଠିକ ଓ ବାସ୍ତବ ତଥ୍ୟ ସଂଗ୍ରହ କରିପାରିବୁ । ଏହା ରପ୍ତାନି ରଣନୀତି ପ୍ରସ୍ତୁତିରେ ମଧ୍ୟ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।

ଶ୍ରୀ ସାକ୍ସେନା ଆହୁରି କହିଛନ୍ତି, ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦ ଗୁଡ଼ିକ ପରିବେଶ ଅନୁକୂଳ ଏବଂ ପ୍ରାକୃତିକ ହୋଇଥିବାରୁ ଅନ୍ତର୍ଜାତୀୟ ବଜାରରେ ଏଗୁଡ଼ିକର ବିଶେଷ ଚାହିଦା ରହିଛି। ରପ୍ତାନି ବୃଦ୍ଧି ପାଇଁ ରହିଥିବା ସମ୍ଭାବନା ଓ ପରିବେଶ ଅନୁକୂଳ ବିଶେଷତ୍ୱ ରହିଥିବାରୁ ୨୦୦୬ରେ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗକୁ ‘ଏକକ ରପ୍ତାନି ପ୍ରୋତ୍ସାହନ ପରିଷଦ’ (ଇପିସିଏସ) ମାନ୍ୟତା ଦିଆଯାଇଥିଲା । ଖଦି ଉତ୍ପାଦର ରପ୍ତାନି ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ସ୍ୱତନ୍ତ୍ର ଏଚ୍‌ଏସ୍‌ କୋଡ ନଥିବାରୁ ଖଦି ଉତ୍ପାଦର ବର୍ଗୀକରଣ ଓ ହିସାବ କରି ରପ୍ତାନି କରିବା କଷ୍ଟକର ହେଉଥିଲା ।

କେନ୍ଦ୍ରଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତିନ ଗଡ଼କରୀ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟକ୍ତିଗତ ପ୍ରୟାସ ନଥିଲେ ଖଦିକୁ ଏଚ୍‌ଏସ୍‌ କୋଡ ମାନ୍ୟତା ସମ୍ଭବ ହୋଇପାରିନଥାନ୍ତା ବୋଲି ଶ୍ରୀ ସାକ୍ସେନା ଉଲ୍ଲେଖ କରିଥିଲେ ।

ସମ୍ବନ୍ଧିତ ଖବର