ନୂପୁର ଶର୍ମାଙ୍କୁ ମୁଣ୍ଡକାଟ ଧମକ ଦେଇ ଆଜ୍‌ମେର୍‌ ଦର୍‌ଘାର ଖାଦିମ ଗିରଫ

ନୂଆଦିଲ୍ଲୀ: ନିଲମ୍ବିତା ‘ବିଜେପି’ ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ କ୍ରୋଧଉଦ୍ରେକକାରୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆଜ୍‌ମେର୍‌ ଦର୍‌ଘାର ଖାଦିମ ସଲମନ୍‌ ଚିସ୍ତିଙ୍କୁ ଗତରାତିରେ ଆଜ୍‌ମେର୍‌ ପୁଲିସ ଗିରଫ କରିଥିବା କଥା ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବିକାଶ ସାଙ୍ଗ୍‌ୱାନ୍‌ କହିଛନ୍ତି।

ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ କହିବା ଅନୁସାରେ, ନୂପୁର ଶର୍ମାଙ୍କୁ ସେ ଧମକ ଦେଇଥିବାର ଗୋଟାଏ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଗତ ରାତି ପ୍ରାୟ ୧୨.୪୫ରେ ଖାଦିମ ସଲ୍‌ମନ୍‌ ଚିସ୍ତିଙ୍କୁ ଗିରଫ କରାଯାଇଥିଲା।

ନୂପୁର ଶର୍ମାଙ୍କ ମୁଣ୍ଡ କାଟିପକାଇଲେ ନିଜର ଘରବାଡ଼ି ଦେଇଦେବେ ବୋଲି କହୁଥିବା ସଲ୍‌ମନ୍‌ ଚିସ୍ତିଙ୍କ ନାଁରେ ଦର୍‌ଘା ଥାନାରେ ମଧ୍ୟ ଅପରାଧିକ ରେକର୍ଡ ରହିଛି।

Image Courtesy of NDTV

ଚିସ୍ତିଙ୍କ ଭିଡିଓଟି ମଧ୍ୟ ହତ୍ୟା ପୂର୍ବରୁ କହ୍ନୈୟାଲାଲ୍‌ଙ୍କ ହତ୍ୟାକାରୀ ରିୟାଜ୍‌ ମହମ୍ମଦ୍‌ ଏବଂ ଘାଉସ୍‌ ମହମ୍ମଦ୍‌ ଜାରି କରିଥିବା ଭିଡିଓ ପରି। ପ୍ରାୟ ୩ ମିନିଟ୍‌ର ଏହି ଭିଡିଓରେ ଧାର୍ମିକ ଭାବାବେଗ ଦର୍ଶାଇ ସଲ୍‌ମନ୍‌ ଚିସ୍ତି ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ସର୍ବସାଧାରଣରେ ଧମକ ଦେଉଛନ୍ତି।

ଉକ୍ତ ଭିଡିଓରେ ଚିସ୍ତି କହୁଛନ୍ତି, ଜନ୍ମଦାତ୍ରୀ ମାଆଙ୍କ ରାଣ ଖାଇ କହୁଛି, ତାଙ୍କୁ (ନୂପୁର) ମୁଁ ସମସ୍ତଙ୍କ ଆଗରେ ଗୁଳି ମାରି ହତ୍ୟା କରିବି। ମୋ ପିଲାଛୁଆଙ୍କ ରାଣ ଖାଇ କହୁଛି, ମୁଁ ତାଙ୍କୁ ଗୁଳି ମାରି ସାରନ୍ତିଣି। ଆଉ ଆଜି ମଧ୍ୟ କହୁଛି, ଯିଏ ନୂପୁର ଶର୍ମାଙ୍କ ମୁଣ୍ଡ ଆଣି ଦେଇପାରିବ ତାଙ୍କୁ ମୁଁ ମୋର ଘରବାଡ଼ି ଦେଇଦେବି। ଏଇଟା ସଲମନ୍‌ର ପ୍ରତିଶ୍ରୁତି।

ଏ ଭିଡିଓ ଭାଇରାଲ୍‌ ହେବା ପରେ ଆଜ୍‌ମେର୍‌ ନଗରୀର ଅଲ୍‌ୱାର୍‌ ଗେଟ୍‌ ଥାନାରେ ମାମଲା ରୁଜୁ କରାଯାଇଛି। ଏ ଭିଡିଓ ପ୍ରସଙ୍ଗରେ ପୁଲିସ ଖୁବ୍‌ କଠୋର ମନୋଭାବ ପୋଷଣ କରିଥିବା କଥା ଆଜ୍‌ମେର୍‌ର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବିକାଶ ସାଙ୍ଗ୍‌ୱାନ୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଭିଡିଓରେ ସଲ୍‌ମନ୍‌ ଚିସ୍ତି ନିଶାସକ୍ତ ଅବସ୍ଥାରେ ଥିବା ଦେଖାଯାଉଛି।

ସମ୍ବନ୍ଧିତ ଖବର