ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଆଜି ସୁପ୍ରିମ୍ କୋର୍ଟଙ୍କୁ କହିଛି ଯେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଖଲିସ୍ତାନ ଲିବରେସନ୍ ଫୋର୍ସ (କେଏଲ୍ଏଫ୍)ର କାନାଡାସ୍ଥିତ କାର୍ଯ୍ୟକର୍ତ୍ତାମାନେ ୨୦୨୦ରେ ପଞ୍ଜାବରେ ଶୌର୍ଯ୍ୟ ଚକ୍ର ବିଜେତା ଜଣେ ଶିକ୍ଷକଙ୍କୁ ହତ୍ୟା କରିଥିଲେ। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ମାମଲାର ତଦନ୍ତକୁ ନେଇ କାନାଡା ଓ ଭାରତ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି।
ଅକ୍ଟୋବର ୨୦୨୦ରେ ବଲବିନ୍ଦର ସିଂ ସାନ୍ଧୁଙ୍କୁ ତରନତାରନ୍ ଜିଲ୍ଲାର ଭିଖିୱିଣ୍ଡରେ ତାଙ୍କ ଘର ବାହାରେ ଗୁଳିକରି ହତ୍ୟା କରାଯାଇଥିଲା। ୧୯୯୦ ଦଶକରେ ରାଜ୍ୟରେ ଆତଙ୍କବାଦ ବିରୋଧରେ ଲଢ଼େଇ କରିଥିବାରୁ ସାନ୍ଧୁଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା। ୧୧୧ ପୃଷ୍ଠାର ସତ୍ୟପାଠରେ ଏନ୍ଆଇଏ କହିଛି ଯେ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ଯେ କାନାଡାରେ ରହୁଥିବା ଖଲିସ୍ତାନ ଲିବରେସନ ଫୋର୍ସର କର୍ମକର୍ତ୍ତା ସୁଖମିତ୍ ପାଲ ସିଂହ ଓରଫ ସନ୍ନି ଏବଂ ମୃତ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଜର୍ନେଲ ସିଂହ ଭିନ୍ଦ୍ରନୱାଲେଙ୍କ ପୁତୁରା ଲଖବୀର ସିଂହ ଓରଫ ରୋଡେ ଏହି ହତ୍ୟା ପାଇଁ ସେମାନଙ୍କୁ ଦାୟିତ୍ୱ ଦେଇଥିଲେ।
ଏନ୍ଆଇଏ ଚାର୍ଜସିଟ୍ରେ ଉଭୟ ସନ୍ନି ଏବଂ ଲଖବୀର ସିଂହକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଆତଙ୍କବାଦ ନିରୋଧୀ ଏଜେନ୍ସି କହିଛି ଯେ ଏହି ଦୁଇ ଜଣ ଭାରତରେ ଖଲିସ୍ତାନ ବିରୋଧୀ ସଂସ୍ଥାଗୁଡ଼ିକୁ ବରବାଦ କରିବାକୁ ଷଡ଼୍ଯନ୍ତ୍ର କରିଥିଲେ କାରଣ ସେମାନେ ବିଶ୍ୱାସ କରୁଥିଲେ ଯେ ସେମାନଙ୍କୁ ଟାର୍ଗେଟ କରି ଖଲିସ୍ତାନୀ ଆନ୍ଦୋଳନକୁ ପୁନର୍ଜୀବିତ କରିପାରିବେ।
ଏନ୍ଆଇଏ ସତ୍ୟପାଠରେ କହିଛି ଯେ ଖଲିସ୍ତାନ ଲିବରେସନ ଫୋର୍ସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ଖାଲିସ୍ତାନ ସୃଷ୍ଟି କରିବା। ଏଜେନ୍ସି ଆହୁରି କହିଛି ଯେ କେଏଲ୍ଏଫ ନେତୃତ୍ୱ ବିଶ୍ୱାସ କରୁଛି ଯେ ସେମାନେ ସାମ୍ପ୍ରଦାୟିକ ଆଧାରରେ ପଞ୍ଜାବର ଶିଖ୍ ସମାଜକୁ ଧ୍ରୁବୀକରଣ କରିବା ପାଇଁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଟାର୍ଗେଟ କରି ଖାଲିସ୍ତାନ ଆନ୍ଦୋଳନକୁ ପୁନରୁଦ୍ଧାର କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/17/zsY47gOmDTyx7QOw4WP9.jpg)