ନୂଆଦିଲ୍ଲୀ: ନିଷିଦ୍ଧ ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ‘ଶିଖ୍ସ ଫର୍ ଜଷ୍ଟିସ୍’ (ଏସ୍ଏଫ୍ଜେ) ପ୍ରତିଜ୍ଞା କରିଛି ଯେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ଗସ୍ତ ବେଳେ ଆମେରିକାରେ ଶାନ୍ତିରେ ଶୁଆଇଦେବେ ନାହିଁ। କ୍ବାଡ୍ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦୀ ଆମେରିକା ଗଲେ ହ୍ବାଇଟ୍ ହାଉସ୍ ସମ୍ମୁଖରେ ପ୍ରବଳ ପ୍ରତିବାଦ କରାଯିବ । ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ଉକ୍ତ ଖଲିସ୍ତାନୀ ଗୋଷ୍ଠୀ ଏ ଧରଣର ଧମକପୂର୍ଣ୍ଣ ଭିଡିଓ ଜାରି କରିଛି।
ଏହି ଆତଙ୍କବାଦୀ ଗୋଷ୍ଠୀ କହିଛି ଯେ କୃଷକଙ୍କ ପ୍ରତି ହେଉଥିବା ହିଂସା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏସ୍ଜେଫ୍ର ଜେନେରାଲ କାଉନ୍ସେଲ ଗୁରପତୱନ୍ତ ସିଂହ ପାନୁନ ଧମକ ଦେଇଛନ୍ତି ଯେ ସେ ମୋଦୀଙ୍କୁ ଆମେରିକାରେ ବିନିଦ୍ର ରଜନୀ ପ୍ରଦାନ କରିବେ। ତେବେ ସୁରକ୍ଷା ଗ୍ରିଡ୍ ପକ୍ଷରୁ କୁହାଯାଇଛି ଯେ ଏସ୍ଜେଏଫ୍ର ସେତେ ବେଶି ଲୋକ ସମର୍ଥକ ନାହାନ୍ତି। ପ୍ରଚାର ଉଦ୍ଦେଶ୍ୟରେ ସେମାନେ ଅନେକ ହ୍ବାଟ୍ସଆପ୍ ଗ୍ରୁପ୍ ତିଆରି କରିଛନ୍ତି। ସେଥି ମଧ୍ୟରୁ କେତେଟା ହ୍ବାଟ୍ସଆପ୍ ଗ୍ରୁପ୍ ପାକିସ୍ତାନର ବା ବିଶେଷକରି ଆଇଏସ୍ଆଇ ଏଜେଣ୍ଟଙ୍କ ମୋବାଇଲ ନମ୍ବରରୁ ତିଆରି ହୋଇଛି। ଆମେରିକାରେ ସେମାନେ ଅଳ୍ପକିଛି ଲୋକଙ୍କୁ ନେଇ ମୋଦୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା ରଖିଛନ୍ତି।
ଅନେକ ବର୍ଷ ହେଲା ଏହି ଗ୍ରୁପ୍ ଅନେକ ଆପତ୍ତିଜନକ ପୋଷ୍ଟ୍ ୱେବ୍ସାଇଟ୍ରେ ଅପ୍ଲୋଡ୍ କରିଛି ଏବଂ ଡାର୍କ ୱେବ୍ରେ ଏମାନେ ୱେବ୍ସାଇଟ୍ ଖୋଲିଛନ୍ତି। ଏମାନେ କୃଷକମାନଙ୍କୁ ଆର୍ଥିକ ପୁରସ୍କାରର ଲୋଭ ଦେଖାଇ ନିଜ ଆଡ଼କୁ ଆକର୍ଷିତ କରନ୍ତି। ଯୁବକମାନଙ୍କୁ ବିଦେଶରେ ନାଗରିକତ୍ବ ଦେବାର ଲୋଭ ଦେଖାଇ ଦେଶବିରୋଧୀ କାର୍ଯ୍ୟରେ ନିୟୋଜିତ କରନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅନୁଯାୟୀ ୨୦୧୯ ଜୁଲାଇ ୧୦ ତାରିଖରେ ଭାରତ ସରକାର ଏହି ସଂଗଠନକୁ ବେଆଇନ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ୱାସିଂଟନଠାରେ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକା ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/modi-1.jpg)